ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ତରଫରୁ ୧୦ଟି ଜଳଛତ୍ର ଉଦ୍‌ଘାଟିତ

Published: Apr 14, 2022, 5:41 pm IST

ଭୁବନେଶ୍ୱର: ସମ୍ପ୍ରତି କ୍ରମାଗତଭାବେ ବୃକ୍ଷଛେଦନ ଫଳରେ ରାଜ୍ୟରେ ପରିବେଶ ପ୍ରଦୂଷଣ ବୃଦ୍ଧି ପାଇବାରେ ଲାଗିଛି। ବୃକ୍ଷଛେଦନ ଫଳରେ ବଢୁଛି ବିଶ୍ୱତାପମାନ, ବୃଦ୍ଧିପାଉଛି ଅଂଶୁଘାତ ଜନିତ ମୃତ୍ୟୁ। ପ୍ରବଳ ରୁଦ୍ରତାପ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ପାଣି ମୁନ୍ଦିଏ ପିଇବା ପାଇଁ ପଥଚାରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଗ୍ରୀଷ୍ମଋତୁ ଚାଲିଥିବାରୁ ପାନୀୟ ଜଳର ଘୋର ସଙ୍କଟ ଦେଖାଦେଇଛି। ଏସବୁକୁ ଦୃଷ୍ଟିରେ ରଖି ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂଜୋନ ସୁରକ୍ଷା ଟ୍ରଷ୍ଟ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ ପବିତ୍ର ଓଡ଼ିଆ ନବବର୍ଷ ଅବସରରେ ରାଜଧାନୀ ଭୁବନେଶ୍ୱର ୟୁନିଟ୍‌-୧ସ୍ଥିତ ବଜରଙ୍ଗ ଭେଣ୍ଡିଂଜୋନ, ମୈତ୍ରୀବିହାରସ୍ଥିତ ନୀଳକଣ୍ଠେଶ୍ୱର ବଜାର କମିଟି, ୟୁନିଟ୍‌-୩ସ୍ଥିତ ମା’ତାରିଣୀ କ୍ଷୁଦ୍ର ବ୍ୟବସାୟୀ ସଂଘ, ସହିଦ ନଗରସ୍ଥିତ ମା’ଦୁର୍ଗା କ୍ଷୁଦ୍ର ବ୍ୟବସାୟୀ ସଂଘ, ସତ୍‌ସଙ୍ଗ ବିହାରସ୍ଥିତ ସ୍ୱସ୍ତିକ ସେବକ କ୍ଷୁଦ୍ର ବ୍ୟବସାୟୀ ସଂଘ, ସିଆରପିଏଫ୍‌ଛକସ୍ଥିତ ଶ୍ରୀ ଲୋକନାଥ ଭେଣ୍ଡିଂଜୋନ ସମେତ ୧୦ଟି ସ୍ଥାନରେ ଜଳଛତ୍ର ଉଦ୍‌ଘାଟିତ ହୋଇଯାଇଛି।

ବରିଷ୍ଠ କର୍ପୋରେଟର ଅମରେଶ ଜେନା ଓ ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ପ୍ରତାପ କୁମାର ସାହୁ ଫିତା କାଟି ଜଳଛତ୍ରକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ୧୬ ନମ୍ବର ୱାର୍ଡ଼ର କର୍ପୋରେଟର ଅଚ୍ୟୁତାନନ୍ଦ ସ୍ୱାଇଁ, ୪୦ ନମ୍ବର ୱାର୍ଡ଼ର କର୍ପୋରେଟର ଆସିଆ ବେଗମ, ଟ୍ରଷ୍ଟର ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ବିପିନ ବିହାରୀ ଜେନା, ନିରଞ୍ଜନ ପାଣ୍ଡେ, ଗୀତା ବିଶ୍ୱାସ, ସୁରେଶ ପଟ୍ଟନାୟକ, ରାଜକିଶୋର ସାହୁ ପ୍ରମୁଖ ଉପସ୍ଥିତ ରହି ପଥଚାରୀମାନଙ୍କୁ ପଣା, ଲେମ୍ବ ସରବତ, ଓଆରଏସ୍‌, ଗ୍ଲୁକୋନ-ଡ଼ି ବଣ୍ଟନ କରିବା ସହିତ ଲୋକମାନଙ୍କୁ ମହାମାରୀ କରୋନା ଉପରେ ସଚେତନ କରାଇଥିଲେ।

Related posts