ଆସନ୍ତା ୨୨ ରେ ବାଣପୁର ବ୍ଲକରେ ହେଲଥ୍ ମେଳା

Published: Apr 19, 2022, 7:02 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆସନ୍ତା ୨୨ ତାରିଖ ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକରେ ଅନୁଷ୍ଠିତ ହେବାକୁ ଯାଉଅଛି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ‘ହେଲଥ ମେଳା’। ଏ ନେଇ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସହାୟତାରେ ଆସନ୍ତା ଶୁକ୍ରବାର ଦିନ ନରେନ୍ଦ୍ରପୁର ବାତ୍ୟା ଆଶ୍ରୟ ସ୍ଥଳୀ ପରିସରରେ ଉକ୍ତ ହେଲଥ ମେଳା ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ଉକ୍ତ ମେଳାରେ ଭେଷଜ, ସ୍ତ୍ରୀ ଓ ପ୍ରସୂତୀ ବିଭାଗ, ଶିଶୁ ବିଭାଗ, କୁଷ୍ଠ, ଅନ୍ଧତ୍ବ ଦୂରୀକରଣ, ଦାନ୍ତ, ନାସା, କର୍ଣ୍ଣ, ଗଳା, ମ୍ୟାଲେରିଆ ଏବଂ ଯକ୍ଷ୍ମା ରୋଗ ବିଶେଷଜ୍ଞ ଆସିବାକୁ ଥିବା ବେଳେ ଏଠାରେ ଏଚ୍.ଆଇ.ଭି, ପରିବାର ନିୟୋଜନ, ସୁରକ୍ଷିତ ମାତୃତ୍ବ, ଅଣ ସଂକ୍ରାମଣ ରୋଗ, ଗର୍ଭନିରୋଧ, ପୁଷ୍ଟିକର ଖାଦ୍ୟ, ଶିଶୁ ପାଇଁ ସୁରକ୍ଷିତ ସ୍ତନ୍ୟପାନ ଏବଂ ଆୟୁଷ୍ମାନ ଭାରତ ମାଧ୍ୟମରେ ଉପଲବ୍ଧ ବିଭିନ୍ନ ସ୍ୱାସ୍ଥ୍ୟ ପାଇଁ ପରାମର୍ଶ କେନ୍ଦ୍ର ଖୋଲିବ ବୋଲି ଜଣାପଡିଛି। ସକାଳ ୭ ରୁ ୧୨ ଘଟିକା ପର୍ଯ୍ୟନ୍ତ ଚାଲିବ ଏହି ହେଲଥ ମେଳା।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସିଡ଼ିଏମଓ ଏବଂ ଡ଼ିପିଏଚଓ ଯୋଗ ଦେବେ ବୋଲି ସୂଚନା ମିଳିଛି। ବାଣପୁର ବ୍ଲକ ଏବଂ ଏନଏସିର ସମସ୍ତ ଜନସାଧାରଣମାନେ ଉକ୍ତ ହେଲଥ ମେଳାରେ ଯୋଗ ଦେବା ପାଇଁ ମେଡିକାଲ ଅଧିକାରୀ ଅନୁରୋଧ କରିଛନ୍ତି। ବ୍ଲକ, ଏନଏସି ଏବଂ ମେଡିକାଲ ପ୍ରଶାସନ ପକ୍ଷରୁ ଉକ୍ତ ହେଲଥ ମେଳା ନିମନ୍ତେ ଜନସାଧାରଣଙ୍କୁ ସୂଚନା ଦେବାପାଇଁ ବହୁ ପଦକ୍ଷେପ ଗ୍ରହଣ କରାଯାଇଛି। ଅନୁରୂପ ଭାବେ ଆଜିଠାରୁ ଏଥି ଲାଗି ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ଆରମ୍ଭ ହୋଇଯାଇଛି।

Related posts