ବାଣପୁର: ନଈରୀ ଗ୍ରାମରେ ଟଙ୍କା କାରାବାରକୁ ନେଇ ହତ୍ୟାକାଣ୍ଡ; ବାପ ମୃତ, ପୁଅ ଗୁରୁତର

Published: Dec 8, 2022, 5:03 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନଈରୀ ଗ୍ରାମରେ ଏକ ହତ୍ୟାକାଣ୍ଡ ହୋଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ନଈରୀ ଗ୍ରାମର ସାରଥୀ ନାୟକ ଏବଂ ତାଙ୍କ ପୁତ୍ର ସନତ ନାୟକ ସେହି ଗ୍ରାମର ଏକ କୁକୁଡ଼ା ଫାର୍ମରେ କାମ କରନ୍ତି।

ତେବେ ପ୍ରତିଦିନ ପରି ଆଜି ମଧ୍ୟ କୁକୁଡ଼ା ଫାର୍ମକୁ ଉଭୟ ବାପା ପୁଅ କାମ ପାଇଁ ଯାଇଥିବା ବେଳେ ହଠାତ ଉକ୍ତ ଗ୍ରାମର କେଦାର ନାୟକ, ସ୍ତ୍ରୀ ସୁଷମା ନାୟକ ଏବଂ ତାଙ୍କ ପୁଅ ସୁକାନ୍ତ ନାୟକ ଉଭୟ ବାପା ପୁଅଙ୍କୁ ଗାଳିଗୁଲଜ କରିବା ସହ ୨ ଲକ୍ଷ ଟଙ୍କା ମାଗିଥିଲେ। ସେମାନେ ବାରଣ କରିବାରୁ ୩ ଜଣ ଉଭୟ ବାପ ପୁଅଙ୍କୁ ଛୁରାରେ ଆକ୍ରମଣ କରିଥିଲେ।

ପୁଅ ସନତ ଗୁରୁତର ହୋଇଥିବା ବେଳେ ସାରଥୀଙ୍କ ଛାତିରେ ଛୁରା ମାଡ଼ ହୋଇଥିବାରୁ ସେ ଘଟଣାସ୍ଥଳରେ ତଳେ ପଡିଯାଇଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ବାଲୁଗାଁ ମେଡିକାଲ ନେଇଥିବା ବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଏ ନେଇ ମୃତ ସାରଥୀଙ୍କ ପୁଅ ସନତ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିବାପରେ ପୋଲିସ କେସ ନମ୍ବର 565/22 ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଦେଇଥିବା ବେଳେ ଅଭିଯୁକ୍ତ ମାନେ ଫେରାର ହୋଇଯାଇଥିବାର ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା କହିଛନ୍ତି।

Related posts