
ସୀତାରାମ ଅଗ୍ରୱାଲ
ବାଣପୁର: ବାଣପୁର ବ୍ଲକ ଭବାନୀପୁର ଗ୍ରାମ ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ନିକଟରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟ ଶେଷ ହୋଇଛି। ଏଥି ନିମନ୍ତେ ପଞ୍ଚାୟତରେ ଏକ ସ୍ୱତନ୍ତ୍ର ଉତ୍ସବର ଆୟୋଜନ କରାଯାଇଥିଲା।
ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ କାର୍ତ୍ତିକ ବାରିକ ଯୋଗ ଦେଇଥିଲେ। ଶ୍ରୀ ରଣସିଂହ ନିର୍ମାଣସ୍ଥଳରେ ପହଞ୍ଚି ନଡ଼ିଆ ବାଡେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ସୂଚନା ଥାଉକି କିଛି ବର୍ଷ ତଳେ ନୂତନ ଭାବେ ଗଠିତ ହୋଇଥିବା ଭବାନୀପୁର ପଞ୍ଚାୟତ ପୁର୍ବରୁ ତୁମୁରାପୁଟ ପଞ୍ଚାୟତ ଅଧୀନରେ ଥିଲା। ତେବେ ଅଲଗା ପଞ୍ଚାୟତର ମାନ୍ୟତା ପାଇବା ପରେ ମଧ୍ୟ ବିଭିନ୍ନ କାରଣ ଯୋଗୁଁ ଭବାନୀପୁର ପଞ୍ଚାୟତର ନିଜସ୍ୱ ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ଅଦ୍ୟାବଧି ହୋଇପାରିନାହିଁ। ନୂତନ ବ୍ଲକ ଅଧ୍ୟକ୍ଷ ଶ୍ରୀ ରଣସିଂହ ସମ୍ପୃକ୍ତ ପଞ୍ଚାୟତର ସମିତି ସଭ୍ୟ ହୋଇଥିବାରୁ ପଞ୍ଚାୟତବାସୀ ଉକ୍ତ ସମସ୍ୟାର ସମାଧାନ ପାଇଁ ବ୍ଲକ ଅଧ୍ୟକ୍ଷଙ୍କୁ ଅନୁରୋଧ କରିଥିଲେ। ଫଳସ୍ୱରୂପ ବ୍ଲକ ଅଧ୍ୟକ୍ଷଙ୍କ ପ୍ରଚେଷ୍ଟାରେ ଧୀମା ପଡିଯାଇଥିବା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ଭେଟେଶ୍ୱର ଗ୍ରାମ ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ, ଗାଲୁଆ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁରେଶ ବାରିକି, ବରିଷ୍ଠ ସଂଗଠକ ଦେବବ୍ରତ ବଡ଼ଜେନା, ଜିତେନ୍ଦ୍ର ଭୋଳ, ଯୁବନେତା କୀର୍ତ୍ତିରଞ୍ଜନ ଖୁଣ୍ଟିଆଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଏବଂ ବିଜେପି ସମର୍ଥକମାନେ ଯୋଗଦେଇଥିଲେ।