ବାଣପୁର: ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ସୁନାବେଶ, ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

Published: Jun 29, 2023, 7:56 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପବିତ୍ର ଆଷାଢ଼ ଶୁକ୍ଳ ଏକାଦଶୀ ତିଥି। ଏହି ତିଥିରେ ଜଗତର ନାଥ ଜଗନ୍ନାଥ ସୁନାବେଶ ହୁଅନ୍ତି। ପୁରୀରେ ସୁନାବେଶ ଦର୍ଶନ ନିମନ୍ତେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୁଏ। ଓଡ଼ିଶାର କୋଣ ଅନୁକୋଣରେ ଥିବା ଜଗନ୍ନାଥ ମନ୍ଦିରରେ ମଧ୍ୟ ରଥଯାତ୍ରା ଓ ବାହୁଡା଼ ଯାତ୍ରା ଅନୁଷ୍ଠିତ ହୁଏ।

ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ରଙ୍କନାଥ ଦେବଙ୍କ ପୀଠରେ ପୁରୀ ରୀତିନୀତି ଅନୁଯାୟୀ ୧୦ ଦିନ ବ୍ୟାପି ରଥଯାତ୍ରା ନିତି ଅନୁଷ୍ଠିତ ହେଉଛି। ପ୍ରଭୁ ରଙ୍କନାଥ ବାହୁଡା଼ ଦଶମୀରେ ମାଉସୀମା ଘରୁ ଫେରି ମନ୍ଦିର ସିଂହଦ୍ୱାର ନିକଟରେ ରଥାରୁଢ଼ ହୋଇଛନ୍ତି।

ଆଜି ଦକ୍ଷିଣ ମୁଖା ହୋଇ ରହିଥିବା ତିନି ରଥରେ ଠାକୁରଙ୍କ ମଙ୍ଗଳ ଆଳତି, ନୀତିକାନ୍ତି, ଶ୍ରୀଙ୍ଗରେ ଚନ୍ଦନ ସମାପନ ପରେ ପ୍ରଭୁଙ୍କର ସୁନାବେଶ କରାଯାଇଥିଲା। କିରିଟି, କୁଣ୍ଡଳ, ଚିତା ପ୍ରଭୃତି ସୁନା ଅଳଙ୍କାର ଆଭୂଷଣରେ ପ୍ରଭୁ ରଙ୍କନାଥ ଅତି ସୁନ୍ଦର ଦେଖାଯାଉଛନ୍ତି। ସନ୍ଧ୍ୟା ସମୟ ଠାରୁ ଠାକୁରଙ୍କ ସୁନାବେଶ ଦର୍ଶନ ନିମନ୍ତେ ଭକ୍ତ ମାନଙ୍କର ଭିଡ଼ ପରିଲକ୍ଷିତ ହୋଇଥିଲା। ହରିବୋଲ ହୁଳହୁଳିରେ ପରିବେଶ ପ୍ରକମ୍ପିତ ହୋଇପଡ଼ିଛି। ଭକ୍ତମାନେ ଦୀପ ଜାଳି ଭୋଗ ଲଗାଇ ମନୂଆ ଠାକୁରଙ୍କୁ ମନରକଥା କହିଛନ୍ତି।

Related posts