ଡିଏଭି କଳିଙ୍ଗ ନଗରରେ ୨୭ତମ ପ୍ରତିଷ୍ଠା ଦିବସ ପାଳିତ

Published: Jul 7, 2023, 5:44 pm IST

ଭୁବନେଶ୍ୱର: ଡିଏଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରରେ ୨୭ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀବିପିନ କୁମାର ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ମହର୍ଷି ସୁଧାନନ୍ଦ ସରସ୍ୱତୀ ଏହି ଉତ୍ସବରେ ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଡିଏଭିର ପ୍ରାଣ ପ୍ରତିଷ୍ଠାତା ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଜୀବନୀ ଉପରେ ଗଭୀର ଆଲୋକପାତ କରିବା ସହିତ ତାଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହେବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ।

ବିଦ୍ୟାଳୟର ଚେୟାରମ୍ୟାନ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ବୈଦିକ ରୀତିନୀତିରେ ଅନୁପ୍ରେରିତ ହେବା ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ଏକ ପବିତ୍ର ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବନ ମହୋତ୍ସବସପ୍ତାହ ପାଳନ ପରିପ୍ରେକ୍ଷୀରେଏନ୍‌.ସି.ସି, ସ୍କାଉଟ୍‌ଗାଇଡ୍ ଓ ଜେଆର୍‌ସି ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଡିଏଭି ଆଞ୍ଚଳିକ ସହ ନିର୍ଦ୍ଦେଶିକା ତଥା ଡିଏଭି ଚନ୍ଦ୍ରଶଖରପୁରର ଅଧ୍ୟକ୍ଷା ଡ. ସୁଜାତା ସାହୁ , ମ୍ୟାନେଜର ଈପ୍‌ସିତା ଦାସ, ଏଲ. ଆର ଡିଏଭିର ଅଧ୍ୟକ୍ଷ ନିରଞ୍ଜନ ସ୍ୱାଇଁ, ଡିଏଭି ରାଜାବଗିଚାର ଅଧ୍ୟକ୍ଷା ମୌସୁମୀ ଦାସ ପ୍ରମୁଖ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।

ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ତରଫରୁ“ପିପୁଲ ଫର୍‌ ସେବା”ଜରାଶ୍ରମର ଅନ୍ତେବାସୀଙ୍କ ମଧ୍ୟରେ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବଣ୍ଟନ କରାଯାଇ ଥିଲା। ଆହୁରି ମଧ୍ୟ ପିଲାମାନଙ୍କମନରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ବିଦ୍ୟାଳୟର “ଇକୋକ୍ଲବ” ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମକର୍ତ୍ତାଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସଂପାଦିତ ହୋଇଥିଲା।

Related posts