ବାଲୁଗାଁ ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନରୁ ଖସି ଦୁଇ ଶ୍ରମିକ ଆହତ

Published: Jul 31, 2023, 8:11 am IST

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଗତକାଲି ରାତିରେ ଏକ ଅଘଟଣ ଘଟିଯାଇଛି। ଚଳନ୍ତା ଟ୍ରେନରୁ ଦୁଇ ଜଣ ଶ୍ରମିକ ପଡ଼ି ଆହତ ହୋଇଥିବାର ଜଣାପଡିଛି। ଆହତ ଶ୍ରମିକ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଅଭିରାମ ଦୋରା (୫୫) ଏବଂ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳର ହରି ବେହେରା (୩୩)।

ଆରପିଏଫ ସୂଚନା ମୁତାବକ ଗତକାଲି ରାତିରେ ପୁରୀ-ଚେନ୍ନାଇ ସାପ୍ତାହିକ ସୁପରଫାଷ୍ଟ ଟ୍ରେନଟି ବାଲୁଗାଁରୁ ଛାଡିବାର ଏକ କିଲୋମିଟର ପରେ ଉକ୍ତ ଦୁଇ ଶ୍ରମିକ କୌଣସି କାରଣବଶତଃ ଟ୍ରେନରୁ ଖସି ପଡିଥିଲେ। ଖବର ପାଇ ବାଲୁଗାଁ ଏସପିଏଫ ଟିମ ଦୀର୍ଘ ସମୟ ଛାନବିନ କରିବା ପରେ ଉଭୟଙ୍କୁ ଠାବ କରିଥିଲେ।

ତେବେ ଅଭିରାମଙ୍କ ଶରୀରରେ ଏକାଧିକ ଆଘାତ ଲାଗିଥିବା ବେଳେ ହରି ସାମାନ୍ୟ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆରପିଏଫ ଏକ ମାମଲା ରୁଜୁ କରି ଉଭୟ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଇଦେଇଛି। ତେବେ ଉଭୟଙ୍କ ମଧ୍ୟରୁ ଜଣେ ଶ୍ରମିକ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡିଛି।

Related posts