ବାଣପୁର: ଜିଲ୍ଲାର ଏକମାତ୍ର ରୂପାନ୍ତରଣ ବିଦ୍ୟାଳୟରେ ଯୁକ୍ତ ଦୁଇ ବିଦ୍ୟାର୍ଥୀଙ୍କ ପ୍ରବେଶ ଉତ୍ସବ

Published: Aug 1, 2023, 7:27 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟ ସରକାରଙ୍କ ସ୍କୁଲକୁ କଲେଜରେ ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଛି ବାଣପୁର ସ୍ଥିତ ଭେଟିନାଥ ଦେବ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ଉକ୍ତ ବିଦ୍ୟାଳୟ ଖୋର୍ଦ୍ଧା ଜିଲ୍ଲାରେ ଏକମାତ୍ର ବିଦ୍ୟାଳୟ ଯାହାକି ରୂପାନ୍ତରଣ ହୋଇ ଏଠାରେ ଯୁକ୍ତ ଦୁଇ କଳା ବିଭାଗ ଖୋଲାଯାଇଥିଲା। ସେତେବେଳେ ଅଂଚଳବାସୀ ଖୁସିହେବା ସହ ଆଖପାଖ ପଞ୍ଚାୟତ ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। ଉକ୍ତଦିନ ଠାରୁ ଦଶମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଉକ୍ତ ବିଦ୍ୟାଳୟରେ ନାମଲେଖାଇବାକୁ ବିଦ୍ୟାଳୟ କମିଟି ଓ କର୍ତ୍ତୃପକ୍ଷ ଚେଷ୍ଟା ଜାରି ରଖିଥିଲେ। ଯାହାଫଳରେ ୧୦୨ ଜଣ ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ ନାମ ଲେଖାଇଛନ୍ତି।

ଆଜି ପ୍ରଥମ ପ୍ରବେଶ ଦିବସ ହୋଇଥିବାରୁ ସେମାନଙ୍କ ପାଇଁ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଖୋର୍ଦ୍ଧା ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟ ଅତିଥିମାନଙ୍କ ଗହଣରେ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ସାମନ୍ତରାୟ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ପ୍ରଧାନ, ସମାଜସେବୀ ଦିବାକର ଶାସମଲ ଏବଂ ପରିଚାଳନା କମିଟିର ସଦସ୍ୟ ମାନେ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

Related posts