ବିଦ୍ୟାଳୟରେ ୭୭ତମ ସ୍ୱାଧୀନତା ଦିବସ ପାଳନ ସହ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ

Published: Aug 15, 2023, 3:11 pm IST

ରଣପୁର: ସାରା ଦେଶ ଆଜି ୭୭ତମ ସ୍ୱାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ରଣପୁର ବ୍ଲକ ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।

ସକାଳ ୬ ଟାରେ ପିଲାମାନେ ରାମଧୂନ ଗୀତ ଗାଇବା ସହ ବିଭିନ୍ନ ସ୍ଲୋଗାନ ଦେଇ ପିଲାମାନେ ଗାଁ ବୁଲିଥିଲେ। ଏହାପରେ ବିଦ୍ୟାଳୟରେ ସକାଳ ୭.୩୦ ଘଟିକା ସମୟରେ ପ୍ରଧାନ ଶିକ୍ଷକ ଶ୍ରୀ ରଣାଙ୍କ ଦ୍ୱାରା ପତାକା ଉତ୍ତୋଳନ କରାଯାଇଥିଲା। ଏହା ପରେ ଜାତୀୟ ସଙ୍ଗୀତ, ରଘୁପତି ରାଘବ ଆଦି ସଙ୍ଗୀତ ଗାନ କରାଯାଇ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା। ଉପସ୍ଥିତ ଅତିଥିମାନେ କୁନି କୁନି ପିଲାମାନଙ୍କୁ ସ୍ୱାଧୀନତା ଦିବସ ଓ ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀଙ୍କ ବିଷୟରେ ବୁଝାଇ ଥିଲେ।

ଏହା ପରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଲକ୍ଷ୍ମୀଧର ସାହୁ ଯୋଗଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅବକାଶ ସ୍ୱାଇଁ ଯୋଗ ଦେଇଥିଲେ। ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ରବିନ୍ଦ୍ର ସଂଗ୍ରାମସିଂହ, ଚନ୍ଦ୍ରକାନ୍ତ ମଙ୍ଗରାଜ, ଚନ୍ଦ୍ରକାନ୍ତି ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଶ୍ରୀ ସାହୁ ଯୋଗ ଦେଇ ପିଲାମାନଙ୍କୁ ସ୍ୱାଧୀନତା ଦିବସର ମହତ୍ୱ ବିଷୟରେ ପିଲାମାନଙ୍କୁ ବୁଝାଇ ଥିଲେ। ଏହା ସହିତ ପିଲାମାନଙ୍କ ମଧ୍ୟରର ଭାଷଣ, ନୃତ୍ୟ, ଚିତ୍ରାଙ୍କନ, ସଙ୍ଗୀତ ଇତ୍ୟାଦି କ୍ଷେତ୍ରରେ ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ମେଡାଲ ଦିଆ ଯାଇ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।

ଅଙ୍ଗନବାଡି କର୍ମୀ ପୁଷ୍ପମଞ୍ଜରୀ ଦେଇ, କାନନବାଳା ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା, ଶିକ୍ଷକ ପ୍ରଦୀପ ସେନାଗୁପ୍ତା ଓ ସମସ୍ତ ପାଚିକାମାନେ ପୂର୍ଣ୍ଣ ସହଯୋଗ କରି କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲେ। ଗ୍ରାମବାସୀମାନେ ମଧ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରିଥିଲେ।

Related posts