ଚିଲିକା ନିର୍ବାଚନ ମଣ୍ଡଳୀରେ ପୋଲିଂ ଅଧିକାରୀମାନଙ୍କ ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Published: Mar 16, 2024, 1:23 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆସନ୍ତା ସାଧାରଣ ଓ ବିଧାନସଭା ନିର୍ବାଚନକୁ ସୁପରିଚାଳନା କରିବା ଉଦ୍ଦେଶ୍ୟରେ ଗତକାଲି ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଣପୁର ଓ ଚିଲିକା ବ୍ଲକର ପୋଲିଂ ଅଧିକାରୀମାନଙ୍କ ନିର୍ବାଚନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ତିନି ଦିନ ହେବାକୁ ଥିବାବେଳେ ୮୬୪ ଜଣ ପ୍ରଶିକ୍ଷଣ ନେବାକୁ ଥିବାବେଳେ ପ୍ରଥମ ଦିନରେ ନୋଡାଲ ଅଧିକାରୀ ତଥା ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୩୦୦ ଜଣ ପୋଲିଂ ଅଧିକାରୀମାନେ ଯୋଗ ଦେଇ ବୁଥ ସ୍ତରରେ ନିର୍ବାଚନ ପରିଚାଳନା କରିବାର ସାଧାରଣ ନିୟମ, ନିର୍ବାଚନ ସାମଗ୍ରୀର ଯଥାଯଥ ବ୍ୟବହାର, ଇଲେକ୍ଟ୍ରୋନିକ୍ସ ଭୋଟିଙ୍ଗ ମେସିଙ୍ଗ ଯଥା କଣ୍ଟ୍ରୋଲ ୟୁନିଟ, ବାଲାଟ ୟୁନିଟ, ଭିଭିପାଟ ର ନିର୍ଭୁଲ ବ୍ୟବହାର, ସିଲିଂ, ମକ ପୋଲିଂର ସମସ୍ତ ଯାନ୍ତ୍ରିକ କୌଶଳ ଶିକ୍ଷା ନେବା ସହିତ ସମଗ୍ର ପୋଲିଂ ଟିମ କିପରି ଦଳଗତ ପ୍ରତିବଦ୍ଧତାର ସହ ଲୋକସଭା ଓ ବିଧାନ ସଭାର ନିର୍ବାଚନ ପରିଚାଳନା କରିପାରିବେ ତାହାର ବିସ୍ତୃତ ଜ୍ଞାନ ଆହରଣ କରିଥିଲେ।

ଚଳିତ ବର୍ଷ ସାଧାରଣ ନିର୍ବାଚନକୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ, ଅବାଧ ତଥା ନିରପେକ୍ଷତାର ସହିତ ସଂଚାଳନ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ ଓ ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ ପୋଲିଂ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଉକ୍ତ ପ୍ରଶିକ୍ଷଣରେ ବାଣପୁର ଓ ଚିଲିକା ବ୍ଲକର ତହସିଲଦାର, ବିଡ଼ିଓ, ବିଜ୍ଞାପିତ ଅଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ପ୍ରାୟ ପଚାଶରୁଉର୍ଦ୍ଧ୍ଵ ଜିଲ୍ଲାସ୍ତରୀୟ, ବିଧାନସଭା ସ୍ତରୀୟ ମୁଖ୍ୟ ତାଲିମଦାତା ଓ ସେକ୍ଟର ଅଫିସର ନିୟୋଜିତ ହୋଇ ଦିବସବ୍ୟାପୀ ତାଲିମ୍ ପ୍ରଦାନ କରିଥିଲେ।ପ୍ରକାଶ ଥାଉକି ବିଭିନ୍ନ ସ୍ତରର ପୋଲିଂ ଓ ପ୍ରିଜାଇଡିଙ୍ଗ ଅଫିସର ମାନଙ୍କୁ ଆଜିଠାରୁ ସତର ତାରିଖ ପର୍ଯ୍ୟନ୍ତ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।

Related posts