ବାଣପୁର ବାଇପାସରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ରଙ୍ଗ ବୋଝେଇ ଗାଡିର ହେଲ୍ପରଙ୍କ ମୃତ୍ୟୁ

Published: Mar 30, 2024, 8:02 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥ ୧୬ ର ବାଣପୁର ବାଇପାସ ବେଲପଡା ପେଟ୍ରୋଲ ପମ୍ପ ନିକଟରେ ଗତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଘଟଣାରୁ ପ୍ରକାଶ ଖୋର୍ଦ୍ଧାରୁ ଏକ ଆଇଚର (ଓଡି୦୫୮କେ୬୪୧୩)ରେ ରଙ୍ଗ ବୋଝେଇ ହୋଇ ଖୋର୍ଦ୍ଧାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ଉକ୍ତ ସ୍ଥାନରେ ଏକ ଗୁଡ଼ ବୋଝଇ ଟ୍ରକ ଯାହାର ନମ୍ବର (ଓଆର୦୨ଏପି୫୮୫୧) ଟି ଭୁଲ ରାସ୍ତାରେ ଛିଡା ହୋଇଥିବା ବେଳେ ରଙ୍ଗ ବୋଝେଇ ଆଇଚରଟି ଦ୍ରୁତ ଗତିରେ ଆସି ଗୁଡ଼ ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା। ଯାହା ଫଳରେ ରଙ୍ଗ ବୋଝେଇ ଗାଡିରେ ହେଲ୍ପର ଭାବରେ କାର୍ଯ୍ୟ କରୁଥିବା ପୁରୀ ଅଂଚଳର ସୋମନାଥ ଗାଙ୍ଗୁଲିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ଉକ୍ତ ଗାଡିର ଡ୍ରାଇଭର ମଧ୍ୟ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାଯାଇଛି।

ଖବର ପାଇ ବାଣପୁର ପୋଲିସ ଘଟଣା ସ୍ଥଳରେ ପହଂଚି ଗାଡିକୁ ଜବତ କରିଥିବା ବେଳେ ହେଲ୍ପରର ମୃତ ଶରୀରକୁ ବାଣପୁର ଡାକ୍ତରଖାନାକୁ ଆଣିଥିଲା। ପୋଲିସ ଆଜି ଶବ ବ୍ୟବଚ୍ଛେଦ କରି ପରିବାରଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ତଦନ୍ତ ଜାରି ରଖିଛି।

Related posts