ବାଣପୁର: ବିଷାକ୍ତ ଜୀବ କାମୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

Published: Sep 10, 2024, 8:24 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଥାନା ଅନ୍ତର୍ଗତ ବେତୁଲି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ରାତିରେ ଶୋଇଥିବା ବେଳେ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ କୌଣସି ଏକ ବିଷାକ୍ତ ଜୀବ କାମୁଡି ଦେଇଛି। ଯାହାଫଳରେ ତାଙ୍କର ମୃତ୍ୟୁ ଘଟିଛି।

ଛାତ୍ର ଜଣକ ବେତୁଲି ଗ୍ରାମର ପାଣ୍ଡଵ ସ୍ୱାଇଁଙ୍କ ପୁତ୍ର ତ୍ରୈଲୋକ୍ୟ ସ୍ୱାଇଁ ବୋଲି ଜଣାପଡିଥିବା ବେଳେ ସେ ବାଣପୁର ସରସ୍ବତୀ ଶିଶୁ ମନ୍ଦିରରେ ନବମ ଶ୍ରେଣୀର ଛାତ୍ର ଅଟେ। ଗତକାଲି ରାତିରେ ବିଷାକ୍ତ ଜୀବ କାମୁଡ଼ିଥିବା ପରିବାର ଲୋକ କହିଥିବା ବେଳେ ଛାତ୍ର ଜଣଙ୍କର ଜଙ୍ଘରେ କାମୁଡ଼ା ଦାଗ ଥିବା ଜଣାପଡିଛି।

ତେବେ ସକାଳେ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିଥିବା ବେଳେ ରାସ୍ତାରେ ସେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ଖବର ପାଇବା ପରେ ସ୍କୁଲରେ ଶୋକ ସଭା କରାଯାଇ ଅଧାରୁ ବିଦ୍ୟାଳୟ ବନ୍ଦ କରିଦିଆଯାଇଥିଲା। ସେପଟେ ମୃତଦେହ ପହଁଚିଲା ପରେ ଗ୍ରାମରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି। ଛାତ୍ର ଜଣଙ୍କର ବାପା ଦୀର୍ଘ ବର୍ଷ ଧରି ବିଦେଶରେ ଥିବାବେଳେ ତ୍ରୈଲୋକ୍ୟ ତାଙ୍କର ଏକମାତ୍ର ପୁଅଥିଲେ।

ସରପଞ୍ଚ ସାବିତ୍ରୀ ଭୋଳ ପହଂଚି ପରିବାରକୁ ସାନ୍ତ୍ୱନା ପ୍ରଦାନ କରିଛନ୍ତି।

Related posts