ବାଲୁଗାଁ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପରାମର୍ଶ ଅନୁଯାୟୀ ଆଜି ବାଲୁଗାଁ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆଜି ସଂସ୍କୃତ ସପ୍ତାହ ଉଦଯାପିତ ହୋଇଯାଇଛି। ଦେବଭାଷା ସଂସ୍କୃତର ଲୋକପ୍ରିୟତା ପାଇଁ ସବୁ ଅନୁଷ୍ଠାନ କାର୍ଯ୍ୟ କରିବା ଉଚିତ ବୋଲି ଡକ୍ଟର ସୁବୁଦ୍ଧି ମତବ୍ୟକ୍ତ କରିଥିଲେ। ପ୍ରାରମ୍ଭରେ ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ସମସ୍ତଙ୍କୁ ସଂସ୍କୃତ ଭାଷାରେ ସ୍ୱାଗତ ଜଣାଇ ଥିଲେ।
ଯୁକ୍ତ ଦୁଇ ଅଧ୍ୟକ୍ଷ ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଅଶୋକ କୁମାର ଷଡ଼ଙ୍ଗୀଙ୍କୁ ସମ୍ବର୍ଦ୍ଧିତ କରିବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହାପରେ ମୁଖ୍ୟ ଅତିଥି ତଥା ବିଶିଷ୍ଟ ସଂସ୍କୃତ ଶିକ୍ଷକ ଅଶୋକ କୁମାର ଷଡ଼ଙ୍ଗୀ ସଂସ୍କୃତ ଭାଷାରେ ସଂସ୍କୃତର ମହନୀୟତା ଉପସ୍ଥାପିତ କରିବା ସହ ଛାତ୍ର ଛାତ୍ରୀଙ୍କ ସହ ସଂସ୍କୃତରେ କଥୋପକଥନ କରିଥିଲେ।
ଶ୍ରୀଯୁକ୍ତ ଷଡ଼ଙ୍ଗୀ କହିଲେ ଯେ ସଂସ୍କୃତ ହେଉଛି ଆମ ଜ୍ଞାନର ଉତ୍ସ। ଏହା ବେଦ ଓ ଦେବତାଙ୍କ ଭାଷା। ଏହି ଭାଷା ଉଚ୍ଚାରଣ କରିବାରେ ଅଦ୍ଭୁତ ଶକ୍ତି ଓ ସ୍ପନ୍ଦନ ସୃଷ୍ଟି ହୁଏ। ଛାତ୍ରୀ ପ୍ରଜ୍ଞାସ୍ମିତା ସାହୁ ବିଭିନ୍ନ ପୁରାଣ ଓ ଭାଗବତ ଗୀତାରୁ ଶ୍ଳୋକ ଆବୃତ୍ତି କରିଥିଲେ। ସଂସ୍କୃତ ଭାଷାରେ ଧନ୍ୟବାଦ ଅର୍ପଣ କରିଥିଲେ ଦର୍ଶନ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂହ, ଅଧ୍ୟାପିକା ରୀନା ରାଉତ ଓ ପ୍ରିୟମ୍ବଦା ମହାପାତ୍ର।