ବାଣପୁର: ବାଣପୁର ବ୍ଲକ ଅଧିନସ୍ଥ ଗାଲୁଆ ତଥା ବିଷ୍ଣୁଡିହ ଗ୍ରାମପଞ୍ଚାୟତ ଠାରେ ଦୁଇଟି ଭିନ୍ନ ଭିନ୍ନ ପଞ୍ଚାୟତ ସ୍ତରୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଶିବିର ଗୁଡିକରେ ସହକାରୀ ଶ୍ରମ ଅଧିକାରୀ ସୌମ୍ୟ ରଞ୍ଜନ କର, ଉଭୟ ଗ୍ରାମର ସରପଞ୍ଚ, ନାଏବ ସରପଞ୍ଚ ସମିତି ସଭ୍ୟ, ଟ୍ରେଡ ୟୁନିଅନ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ଶତାଧିକ ଶ୍ରମିକ ତଥା ଅଞ୍ଚଳବାସୀ ମାନେ ଉପସ୍ଥିତ ଥିଲେ।
ଏହି କାର୍ଯ୍ୟକ୍ରମ ଗୁଡିକରେ ଶ୍ରମିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ବହୁବିଧ ଯୋଜନା ଗୁଡିକ ବିଷୟରେ ସଚେତନ କରାଯିବା ସହ ଆନ୍ତଃରାଜ୍ୟ ଶ୍ରମିକ ତଥା ଦେଶ ବାହାରେ କାର୍ଯ୍ୟରତ ଶ୍ରମିକ ମାନଙ୍କ ପାଇଁ ଆଇନ ରେ ଥିବା ପ୍ରାବଧାନ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଆନୁକୁଲ୍ୟ ରେ ୬ ଜଣ ଙ୍କୁ ନିର୍ମାଣ ଶ୍ରମିକ କାର୍ଡ ଓ ଦୁଇ ଜଣଙ୍କୁ ଅଣସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା କାର୍ଡ ବଣ୍ଟନ କରାଯାଇଥିଲା।
ଶ୍ରମିକ ମାନେ କିଭଳି ନିଜ ଅଞ୍ଚଳରେ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦ୍ବାରା ନିଜ ଦକ୍ଷତା ବିକାଶ କରି ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତ ହୋଇପାରିବେ ବା ବ୍ୟବସାୟ କରିପାରିବେ ତଥା ନିଜ ଆୟ ବୃଦ୍ଧି କରିପାରିବେ ଯାହା ଫଳରେ ସେମାନଙ୍କୁ ବାହାରକୁ ଯିବାକୁ ହେବ ନାହିଁ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ସମସ୍ତ ଅଂଶଗ୍ରହୀ ମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଥିଲା। ଏଥିସହ ସଚେତନତା ରଥ ମାଧ୍ୟମରେ ଗ୍ରାମପଞ୍ଚାୟତ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା।