ରେଢାଖୋଲ (କନ୍ଦର୍ପ ବେହେରା): ସ୍ଥାନୀୟ ଭୀମ ଭୋଇ ମହାବିଦ୍ୟାଳୟରେ ଯୁବ ରେଡକ୍ରସର ନବାଗତ ସ୍ଵେଚ୍ଛାସେବୀଙ୍କ ପାଇଁ ପ୍ରବେଶ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ଅମୂଲ୍ୟ କୃଷ୍ଣ ପାଢୀ ଅଧ୍ୟକ୍ଷତା କରି ମାନବ ସେବା ହିଁ ମାଧବ ସେବା ଏବଂ ସମାଜ ସେବା ପାଇଁ ରେଡକ୍ରସ ଏକ ବଳିଷ୍ଠ ମାଧ୍ୟମ ବୋଲି କହିଥିଲେ। ଏହା ସହିତ ନିଜେ ସୁସ୍ଥ ରହି ସମାଜକୁ ସୁସ୍ଥ ରଖିବା ପାଇଁ ଚେଷ୍ଟିତ ହେବା ଉଚିତ ବୋଲି ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ଯୁବ ରେଡକ୍ରସ ଉପଦେଷ୍ଠା ଅଧ୍ୟାପକ ଅଞ୍ଜନ କୁମାର ମିଶ୍ର ରେଡକ୍ରସର ଲକ୍ଷ୍ୟ, ଉଦ୍ଦେଶ୍ୟ, ମୌଳିକ ନୀତି ଏବଂ ଏହାର ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ।
ପ୍ରାଧ୍ୟାପକ ଅରୁଣ କୁମାର ଶାସନୀ, ପ୍ରାଧ୍ୟାପିକା ସୁପ୍ରିୟା କୁମାରୀ ମଲ୍ଲିକ, ମମତା ମହାପାତ୍ର ଓ ଅଧ୍ୟାପକ ସୁଶାନ୍ତ ନନ୍ଦ ବକ୍ତବ୍ୟ ରଖି ଯୁବ ରେଡକ୍ରସରେ ଯୋଗଦାନ କରି ସମାଜ ସେବା ପରି ମହତ କାର୍ଯ୍ୟରେ ସାମିଲ ହେବାପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ସର୍ବଶେଷରେ ଯୁବ ରେଡକ୍ରସର ମହିଳା ବିଭାଗ ଉପଦେଷ୍ଟା ଅଧ୍ୟାପିକା ସମିତା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଓ ନବାଗତ ଛାତ୍ରଛାତ୍ରୀମାନଙ୍କ ସମେତ ଅନ୍ୟାନ୍ୟ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ଯୋଗଦେଇଥିଲେ।