ଖୋର୍ଦ୍ଧା: ଆଜି ପୂର୍ବାହ୍ନରେ ‘ପଲ୍ଲୀରେ ପ୍ରଶାସନ’ ଜିଲ୍ଲା ପ୍ରଶାସନ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଜନ ଶୁଣାଣି ଶିବିର ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ମିଳିତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ) ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ସହକାରୀ ଜିଲ୍ଲାପାଳ (ଅଭିଯୋଗ) ଭୁବନେଶ୍ଵରୀ କଅଁର, ତହସିଲଦାର କାହ୍ନୁ ଚରଣ ଘଡ଼ାଇ, ଚିଲିକା ପଂଚାୟତ ସମିତି ଅଧ୍ୟକ୍ଷା ମୋନାଲିସା ବେହେରା, ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ ଯୋଗଦେଇ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ।
ଆଜିର ଅଭିଯୋଗ ଶୁଣାଣିରେ ମୋଟ ୮୯ ଗୋଟି ଅଭିଯୋଗ ଦରଖାସ୍ତ ଆସିଥିବା ବେଳେ ତନ୍ମଧ୍ୟରୁ ୭୩ ଗୋଟି ଅଭିଯୋଗ ବ୍ୟକ୍ତିଗତ ୧୬ ଗୋଟି ଅଭିଯୋଗ ଗ୍ରାମୀଣ ସମସ୍ୟାଜନିତ ଥିଲା। ସେହିପରି ୦୫ ଗୋଟି ଅଭିଯୋଗ ଦରଖାସ୍ତର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଯୋଗ ସ୍ଥଳରେ ତତ୍କାଳ ସମାଧାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ଡିପାର୍ଟମେଣ୍ଟ ବରିଷ୍ଟ ଅଧିକାରୀ ମାନେ ଜନଶୁଣାଣି ଶିବିରରେ ଯୋଗ ଦେଇଥିଲେ।


