ବାଣପୁର: ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ବର ସ୍ଥିତ ଭେଟିନାଥଦେବ ପିଏମ୍. ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ ବିଦ୍ୟାଳୟ ସ୍ତରୀୟ ପିଏମ୍.ଶ୍ରୀ ଉତ୍ସବ ତଥା ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ସଭାକୁ ସମ୍ବୋଧିତ କରିଛନ୍ତି।
ଭାରତବର୍ଷର ବିଦ୍ୟାଳୟମାନଙ୍କରେ ଯେଉଁ ପିଲାମାନେ ପାଠ ପଢ଼ୁଛନ୍ତି ସେମାନଙ୍କ ମଧ୍ୟରେ ନେତୃତ୍ୱ ସୃଷ୍ଟି ହେଉ।ସେଥିପାଇଁ ଅତୀତରେ ମହାପୁରୁଷମାନେ ବହୁମୁଖୀ ଶିକ୍ଷା ବାବଦରେ କହିଯାଇଛନ୍ତି। ପାଠ୍ୟକ୍ରମ ବ୍ୟତୀତ ଶିକ୍ଷାର ବିଭିନ୍ନ ଦିଗରେ ଏବଂ ବ୍ୟବହାରିକ ଜ୍ଞାନ ଦିଗରେ ସେମାନେ ନିଜର ପରିଚୟ ତିଆରି କରନ୍ତୁ।ଫଳରେ ସମାଜରେ ପ୍ରତିଷ୍ଠିତ ହେବା ପାଇଁ ନିଜକୁ ତିଆରି କରିବା ବେଳେ ସେମାନଙ୍କ ରାସ୍ତା ସୁଗମ ହୋଇପାରିବ। ଏହି ଉଦ୍ଦେଶ୍ୟରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଠ୍ୟକ୍ରମ ସହିତ ଅନ୍ୟ ଦିଗକୁ ଆଖି ଆଗରେ ରଖି ପିଏମ୍ଶ୍ରୀ ସ୍କୁଲର ପରିକଳ୍ପନା କରିଥିଲେ।
ଏହି ପିଏମ୍.ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆମ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ। ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଶୃଙ୍ଖଳାର ସହ ଶିକ୍ଷା ଗ୍ରହଣ କରି ସମଗ୍ର ଅଞ୍ଚଳ ତଥା ରାଜ୍ୟ ପାଇଁ ଗୌରବ ଆଣନ୍ତୁ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ପରାମର୍ଶ ଦେଇଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଭେଟେଶ୍ବର ଗ୍ରାମ ପଞ୍ଚାୟତର ସରପଞ୍ଚ ସାବିତ୍ରୀ ଭୋଳ, ବାଣପୁର ବ୍ଲକ ଶିକ୍ଷାଧିକାରୀ ସନାତନ ଜାଲି, ବିଦ୍ୟାଳୟ ଆଲୁମିନି ଆସୋସିଏସନର ସଭାପତି ଶଶୀକାନ୍ତ ସୁବୁଦ୍ଧି, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟନାରାୟଣ ରଣା, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଗଜେନ୍ଦ୍ର ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।


