ରଣପୁର: ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟସ୍ଥିତ ପ୍ରସିଦ୍ଧ ମା’ ଅସୁରକୁମାରୀ ଦେବୀଙ୍କ ପବିତ୍ର ପୀଠରେ ଚାଲିଥିବା ପଞ୍ଚାଦିନ ବ୍ୟାପୀ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ପୂର୍ଣ୍ଣାହୁତି ସହ ସମାପ୍ତ ହୋଇଛି। ପ୍ରାଚୀନ ସଂସ୍କୃତିର ପୁନରୁଦ୍ଧାର ଓ ସତ୍ୟଧର୍ମ–ନୀତିର ପ୍ରଚାର ଉଦ୍ଦେଶ୍ୟରେ ଆୟୋଜିତ ଏହି ମହାଯଜ୍ଞରେ ଶତାଧିକ ଭକ୍ତ ସାମିଲ ହୋଇଥିଲେ।
ମାଘ ଶୁକ୍ଳପକ୍ଷ ପଞ୍ଚମୀ ଠାରୁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞରେ ଅଙ୍କୁରରୋପଣ, ଦେବଦେବୀ ବରଣ, କଳସଯାତ୍ରା, ସୂର୍ଯ୍ୟପୂଜା, ଅଖଣ୍ଡ ଯଜ୍ଞ, ସଂକୀର୍ତ୍ତନ, ପ୍ରସାଦ ସେବନ ଓ ବିଭିନ୍ନ ଧାର୍ମିକ–ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ଣ୍ଣାହୁତି ଦିନ ଯଜ୍ଞାଗ୍ନିରେ ଆହୁତି ଦେଇ ଭକ୍ତମାନେ ବିଶ୍ୱଶାନ୍ତି, ସମୃଦ୍ଧି ଓ ସୁଖସମୃଦ୍ଧ ଜୀବନ ପାଇଁ ପ୍ରାର୍ଥନା କରିଥିଲେ।
ମହାଯଜ୍ଞ ଅବସରରେ ପ୍ରତ୍ୟେକ ଦିନ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମା’ ଅସୁରକୁମାରୀ ଚାରିଟେବଲ୍ ଟ୍ରଷ୍ଟ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।
ପୂର୍ଣ୍ଣାହୁତି ଅବସରରେ ଟ୍ରଷ୍ଟ ପକ୍ଷରୁ କୋଣାଅନୁକୋଣରୁ ଆସିଥିବା ସମସ୍ତ ଭକ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଏପରି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ସୂଚନା ଦିଆଯାଇଛି।


