ରଣପୁର: ସମଗ୍ର ବିଶ୍ୱ ସହ ରଣପୁର ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆଜି ଉତ୍ସାହ ଓ ଉଦ୍ଦୀପନାର ସହ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ମାଧ୍ୟମରେ ସୁସ୍ଥ ଶରୀର ଓ ସୁସ୍ଥ ମନ ଗଠନର ବାର୍ତ୍ତା ଦେବାକୁ ବିଭିନ୍ନ ବିଦ୍ୟାଳୟରେ ଯୋଗାଭ୍ୟାସ, ପ୍ରାଣାୟାମ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ରଣପୁର ଏନଏସି ତରଫରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ମଧ୍ୟରେ ଅନୁଷ୍ଠିତ ଯୋଗ ଶିବିରରେ ଓଡ଼ିଶାର ବାଚସ୍ପତି ତଥା ରଣପୁର ବିଧାୟିକା ଶ୍ରୀମତୀ ସୁରମା ପାଢ଼ୀ ସାମିଲ ହୋଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏନ.ଏ.ସି. ଅଧକ୍ଷା ରଙ୍ଗୀନ ମହାନ୍ତିଙ୍କ ସହ ଶତାଧିକ ଯୁବକ,ଛାତ୍ର ଓ କର୍ମଚାରୀ ସାମିଲ ହୋଇଥିଲେ। ସେହିଭଳି ରଣପୁର ପଞ୍ଚାୟତ ସମିତି ପରିସରରେ ଅନୁଷ୍ଠିତ ଯୋଗ ଶିବିରରେ ବିଡ଼ିଓ ମନୋଜ କୁମାର ନାୟକ ଓ ଯୋଗାଗୁରୁ ସୁରେନ୍ଦ୍ର ପେଣ୍ଠାଇ ଯୋଗଦେଇଥିବା ବେଳେ ପ୍ରୋଗ୍ରାମ କୋଡିନେଟର ସଂଜୀବ କୁମାର ପ୍ରଧାନ ଶପଥ ପଠ କରାଇଥିଲେ।
ଏହି ଶିବିରରେ ରଣପୁର ବ୍ଲକର ସମସ୍ତ କର୍ମକର୍ତ୍ତା ସାମିଲ ହୋଇଥିଲେ। ରଣପୁର ଡିଗ୍ରୀ କଲେଜ ଓ ରଣପୁର ପି ଏମ ଶ୍ରୀ ଵିସି ହାଇ ସ୍କୁଲ ର ଏନସିସି କ୍ୟାଡେଟମାନଙ୍କ ସହଯୋଗରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଅଧ୍ୟାପକ ବିଜୟ କୁମାର ଜେନା, ବିଜୟ କୁମାର ମହାପାତ୍ର, କୈବଲ୍ୟ ପ୍ରଧାନ, ସୁଶ୍ରୀ ସୁଜାତା ଘୋଷ ସାମିଲ ହୋଇଥିବା ବେଳେ ଭାଗ୍ୟଧର ସ୍ୱାଇଁ ଓ ତପନ କୁମାର ପ୍ରଧାନ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁଶୀଲ କୁମାର ରଣା, ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଓ ଶିକ୍ଷୟିତ୍ରୀ ପଦ୍ମାବତୀ ବେହେରାଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମ ଅଭ୍ୟାସ କରିଥିଲେ। ଶିକ୍ଷକମାନେ ଯୋଗର ଉପକାରିତା, ଦୈନନ୍ଦିନ ଜୀବନରେ ଏହାର ଆବଶ୍ୟକତା ଏବଂ ସୁସ୍ଥ ଜୀବନଶୈଳୀ ଗଠନରେ ଏହାର ଭୂମିକା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ।
ସେହିପରି ନରସିଂହପୁର କ୍ଲଷ୍ଟର ଅନ୍ତର୍ଗତ ନରସିଂହପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟ, ନାଟିମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନିହାଲପ୍ରସାଦ ପ୍ରାଥମିକ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ ଏବଂ ହଂସରା ବିଦ୍ୟାଳୟରେ ମଧ୍ୟ ଯୋଗ ଦିବସ ଉତ୍ସାହର ସହ ପାଳିତ ହୋଇଥିଲା। ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀମାନେ ସାମୂହିକ ଭାବେ ଯୋଗାଭ୍ୟାସ କରିଥିଲେ।
ଏହି ଅବସରରେ ସି.ଆର.ସି.ସି. ସୁଶୀଲ କୁମାର ରଣା ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରି ଛାତ୍ରଛାତ୍ରୀଙ୍କ ସହ ଯୋଗର ଉପକାରିତା ନେଇ ଆଲୋଚନା କରିଥିଲେ। ସେ ପ୍ରତ୍ୟେକ ଦିନ କିଛି ସମୟ ଯୋଗ ଓ ପ୍ରାଣାୟାମ କରିବା ଦ୍ୱାରା ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖାଯାଇପାରିବ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ଏହା ସହିତ ରଣପୁର ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଥିବା ବେଳେ, ସମଗ୍ର ଅଞ୍ଚଳରେ ସୁସ୍ଥ ଜୀବନ ପାଇଁ ଯୋଗର ଗୁରୁତ୍ୱ ସମ୍ପର୍କରେ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚିଥିଲା।


