ଭୁବନେଶ୍ବର: ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଲକ ଗୁଲୁଗୁଡ଼ା ପଞ୍ଚାୟତ ଅନ୍ତର୍ଗତ କଞ୍ଚାକରଡ଼ା ଗ୍ରାମରେ ପୁଣି ଥରେ ଦୁର୍ଗମ ଆଦିବାସୀ ଅଞ୍ଚଳର ଏକ କରୁଣ ଓ ସମ୍ବେଦନଶୀଳ ଚିତ୍ର ସାମ୍ନାକୁ ଆସିଛି। ଗାଁକୁ ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ଜଣେ ପ୍ରସୂତିଙ୍କୁ ପ୍ରାୟ ୩ କିଲୋମିଟର ପାଦଚଲା କଚ୍ଚା ରାସ୍ତାରେ ଭାରରେ ବୋହି ଆଣିବାକୁ ପଡ଼ିଥିବା ବେଳେ ଶେଷରେ ଡାକ୍ତରଖାନା ନେବା ବାଟରେ ଆମ୍ବୁଲାନ୍ସ ଭିତରେ ହିଁ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି।
ସୂଚନାନୁସାରେ, କଞ୍ଚାକରଡ଼ା ଗ୍ରାମର ଜୁଏଲ୍ ଶବରଙ୍କ ୨୩ ବର୍ଷୀୟା ପତ୍ନୀ ସୁସେଣୀ ଶବର ଗର୍ଭବତୀ ଥିଲେ। ଡାକ୍ତରୀ ହିସାବ ଅନୁସାରେ ଆସନ୍ତା ୨୭ ତାରିଖରେ ତାଙ୍କର ପ୍ରସବ ସମ୍ଭାବ୍ୟ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଆଜି ହଠାତ୍ ତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ପରିବାର ଲୋକେ ତୁରନ୍ତ ୧୦୨ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଗାଁକୁ ଉପଯୁକ୍ତ ସଡ଼କ ସଂଯୋଗ ନଥିବାରୁ ଗାଡ଼ି ଗାଁ ଭିତରକୁ ଯାଇପାରି ନଥିଲା। ଏହି ସଙ୍କଟଜନକ ସମୟରେ ୧୦୨ ଆମ୍ବୁଲାନ୍ସର ଚାଳକ ସୁରେଶ ଡାଙ୍ଗେଟି ନିଜର ଉପସ୍ଥିତ ବୁଦ୍ଧି ଓ ମାନବିକତାର ପରିଚୟ ଦେଇଥିଲେ। ସେ ନିଜେ ଦୁର୍ଗମ ରାସ୍ତାରେ ଯାଇ ଗ୍ରାମବାସୀଙ୍କ ସହ ମିଶି ଭାର ବୋହିବାରେ ସାହାଯ୍ୟ କରିଥିଲେ। ପରିବାର ଲୋକେ ଓ ଚାଳକ ସୁରେଶ ମିଶି ସୁସେଣୀଙ୍କୁ ପ୍ରାୟ ୩ କିଲୋମିଟର ଦୁର୍ଗମ ରାସ୍ତା ଅତିକ୍ରମ କରି ମୁଖ୍ୟ ରାସ୍ତାରେ ଛିଡ଼ା ହୋଇଥିବା ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ଏହା ପରେ ଆମ୍ବୁଲାନ୍ସ ଯୋଗେ ପ୍ରସୂତିଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଭିମୁଖେ ନିଆଯାଉଥିଲା। ମାତ୍ର ପ୍ରାୟ ୮ କିଲୋମିଟର ଯିବା ପରେ କେନ୍ଦୁଗୁଡ଼ା ନିକଟରେ ସୁସେଣୀଙ୍କ ପ୍ରସବ ବେଦନା ଅତ୍ୟନ୍ତ ଅସହ୍ୟ ହୋଇପଡ଼ିଥିଲା। ପରିସ୍ଥିତିର ଗମ୍ଭୀରତାକୁ ବୁଝି ଆମ୍ବୁଲାନ୍ସ ଚାଳକ ସୁରେଶ ଡାଙ୍ଗେଟିଙ୍କ ତତ୍ପରତା ଓ ସହଯୋଗରେ ଗାଡ଼ି ଭିତରେ ହିଁ ସୁରକ୍ଷିତ ପ୍ରସବ କରାଯାଇଥିଲା। ସେଠାରେ ସୁସେଣୀ ଏକ ସୁସ୍ଥ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ।
ପ୍ରସବ ପରେ ଉଭୟ ମାଆ ଓ ନବଜାତ ଶିଶୁଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ସୂଚନା ଦେଇଛନ୍ତି। ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ମୌଳିକ ସଡ଼କ ସୁବିଧା ନଥିବାରୁ ବାରମ୍ବାର ଏଭଳି ସ୍ଥିତି ଉପୁଜୁଥିବା ବେଳେ, ଚାଳକ ସୁରେଶ ଡାଙ୍ଗେଟିଙ୍କ ଏଭଳି ନିଃସ୍ୱାର୍ଥପର ସେବା, କର୍ତ୍ତବ୍ୟନିଷ୍ଠା ଓ ମାନବିକତା ଯୋଗୁଁ ଏକ ଅମୂଲ୍ୟ ଜୀବନ ରକ୍ଷା ପାଇପାରିଥିବାରୁ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ସାଧାରଣରେ ଭୂୟସୀ ପ୍ରଶଂସା କରାଯାଇଛି।


