ଭୁବନେଶ୍ଵର: ନୀତିନିଷ୍ଠ ପ୍ରଧାନ ଶିକ୍ଷକ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକ ଉତ୍ସବ ମହେଶ୍ୱର ମଲ୍ଲ ହାଇସ୍କୁଲ୍ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ୧୯୪୨ ମସିହା ଭାରତ ଛାଡ ଆନ୍ଦୋଳନରେ ମହେଶ୍ୱର ଗୁରୁଜୀ ବାନର ସେନାରେ ଯୋଗଦାନ କରି ବରୀ ଅଞ୍ଚଳରେ ଆନ୍ଦୋଳନର ବାର୍ତ୍ତା ପ୍ରଦାନ କରୁଥିଲେ।
ରାମଚନ୍ଦ୍ରପୁର ମୌଳିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷା ସମାପ୍ତି ପରେ ୧୯୫୨ ମସିହାରେ ଦ୍ୱାଦଶ ଶ୍ରେଣୀ କୃତିତ୍ତ୍ୱର ସହ ଉତ୍ତୀର୍ଣ୍ଣ ହୋଇ ଏକ ସମାବର୍ତ୍ତନ ଉତ୍ସବରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁଙ୍କ ଠାରୁ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଢେଙ୍କାନାଳସ୍ଥ ବାଜି ରାଉତ ଛାତ୍ରାବାସରୁ ଶିକ୍ଷକତା ଜୀବନ ଆରମ୍ଭ କରି ଅବସର ପରେ ୯୨ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ।
ଆଜିର ଏହି ଶ୍ରାଦ୍ଧବାର୍ଷିକୀରେ ମୁଖ୍ୟ ଅତିଥି ଦେବପ୍ରସାଦ ସାମଲ, ମୁଖ୍ୟବକ୍ତା ଡ. ନୃସିଂହ ଚରଣ ବେହେରା, ଗଗନ ବିହାରୀ ଜେନା, କର୍ଣ୍ଣଚନ୍ଦ୍ର ଘଡ଼ାଇ, ପ୍ରଭାସ ଚନ୍ଦ୍ର ଦାସ, କପିଳଚରଣ ସାମଲ, ଉତ୍ସବାନନ୍ଦ ରାଉତ, ହରିଶ୍ଚନ୍ଦ୍ର ଦାସ, ବାବାଜୀ ଚରଣ ଦାସ, ସି.ଆର.ସି.ସି. ଅଜୟ ସାମଲ, କୈଳାସ ଦାସ, ପ୍ରଫୁଲ୍ଲ ଓଝା, ଖଗେଶ୍ୱର ନାୟକ, ମୂରଲୀ ଘଡ଼େଇ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପ୍ରମୋଦ କୁମାର ଦାସ ଅତିଥିମାନଙ୍କ ପରିଚୟ, ସ୍ମୃତି କମିଟିର ସମ୍ପାଦକ ଅନିରୁଦ୍ଧ ମଲ୍ଲ ସ୍ୱାଗତ ଭାଷଣ ଓ ରାଜକିଶୋର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରୁ ଉତ୍ତୀର୍ଣ୍ଣ କୃତି ପ୍ରତିଯୋଗୀଙ୍କୁ ରାଜ୍ୟ କର୍ମଚାରୀ ସଂଘ ସଭାପତି ବିଜୟ ମଲ୍ଲ ପୁରସ୍କୃତ କରିଥିଲେ।


