ବାଲୁଗାଁ ବାଇପାସ୍‌ ରୋଡ୍‌ରେ ପୁଣି ଏକ ଦୁର୍ଘଟଣା : ମା’ ମୃତ, ଝିଅ ଗୁରୁତର

Published: Nov 29, 2019, 1:22 pm IST

ବାଲୁଗାଁ, ୨୯/୧୧: (ସମୀକ୍ଷା ବ୍ୟୁରୋ) : ବାଲୁଗାଁ ବାଇପାସ୍‌ ରୋଡ୍‌ ସୁବୁଦ୍ଧିପାଟଣା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ରାସ୍ତାରେ ଜଣେ ବାଳିକା ତା‘ମାଆକୁ ସାଇକେଲରେ ବସାଇ ଯାଉଥିବାବେଳେ ଏକ ଛତିଶଗଡର ଚାରିଚକିଆ ଯାନ ଧକ୍କା ଦେଇଛି। ସୂଚନାରୁ ପ୍ରକାଶ ଯେ, ଭୁବେନଶ୍ବରରୁ ବ୍ରହ୍ମପୁର ଯାଉଥିବା ସିଜି୦୭ବି ଏସ୍‌-୫୭୧୩ ନମ୍ବରର ଏହି କାର୍‌ଟି ବେପରୁଆ ଗାଡ଼ି ଚଳାଉଥବାରୁ ଜନୈକ ମା’-ଝିଅଙ୍କୁ ପଛପଟୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ମା’ ଓ ଝିଅ ଉଭୟ ଗୁରୁତର ହୋଇପଡିଥିଲେ।

ଗୁରୁତର ଅବସ୍ଥାରେ ଦୁହିଁକୁ ସମାଜ ଆଇନାର ପ୍ରତିନିଧି ତଥା ସାମ୍ବାଦିକ ମନୋରଞ୍ଜନ ବେହେରା ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସହିତ ଗାଡ଼ି ଓ ଚାଳକଙ୍କୁ ଅଟକ ରଖି ପୋଲିସ୍‌ ଜିମା ଦେଇଥିଲେ। ଦୁର୍ଘଟଣାରେ ପୀଡ଼ିତା ଦୁହିଁଙ୍କ ଅବସ୍ଥା ବେଶ୍‌ ଉଦ୍‌ବେଗଜନକ ରହିଥିବାରୁ ତାଙ୍କୁ ଭୁବନେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଭୁବନେଶ୍ବର ହସପିଟାଲ୍‌କୁ ନେବା ରାସ୍ତାରେ ହିଁ ମା’ର ମୃତ୍ୟୁ ଘଟିଥିବାର ସୂଚନା ରହିଛି। ଝିଅକୁ ସ୍ଥାନାନ୍ତର କରାଯାଇଛି। ବାଳିକା ଜଣକୁ ମାତ୍ର ୧୮ ବର୍ଷ ହୋଇଥିବାବେଳେ ସେ ବୋରିଆସାହି ଗ୍ରାମର ବୋଲି ଜଣାପଡିଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଗାଡ଼ି ଚାଳକଙ୍କୁ ଗିରଫ କରିବା ସହ ଗାଡ଼ିକୁ ଜବତ କରିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ଏହି ରାସ୍ତାରେ ଏକ ବାଇକ୍‌ ଦୁର୍ଘଟଣା ଘଟିଥିବାବେଳେ ବାଇକ୍‌ ଚାଳକ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଛକ ନିକଟରେ ବାରମ୍ବାର ଦୁର୍ଘଟଣା ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ , ମୋ: ୭୯୭୮ ୧୪୮ ୪୨୬

Related posts