ବାଲୁଗାଁ ଦିଗନ୍ତିକା ହୋଟେଲ ପଛପଟୁ ମିଳିଲା ଯୁବକର ମୃତଦେହ: ହତ୍ୟା ସନ୍ଦେହ

Published: Dec 2, 2019, 1:53 pm IST

ସମୀକ୍ଷା ବ୍ୟୁରୋ

ବାଲୁଗାଁ, ୨/୧୨: ବାଲୁଗାଁ ସ୍ଥିତ ବଜାର ଉପରେ ଏକ ପ୍ରତିଷ୍ଠିତ ହୋଟେଲ୍‌ ପାଖରୁ ଅଜଣା ଯୁବକର ମୃତଦେହ ମିଳିଛି। ମିଳିଥିବା ସୂଚନା ଅନୁସାରେ, ହୋଟେଲ ଦିଗନ୍ତିକା ପଛପଟେ ଅର୍ଦ୍ଧନିର୍ମିତ ଏକ ଘରୁ ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି।  ମୃତ ଯୁବକଟି ଜିଭ କାମୁଡି ପଡ଼ିଥିବାର ଦେଖିବାକୁ ମିଳିଥିଲା। ଏହାକୁ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ଆଖପାଖ ଅଞ୍ଚଳରେ ଦୁର୍ଗନ୍ଧ ହେବାରୁ ହୋଟେଲ୍‌ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ଯୁବକଙ୍କ ଶବ ପଡ଼ିଥିବାର ଦେଖିଥିଲେ। ହୋଟେଲ୍‌ ମାଲିକ ଘଟଣାସ୍ଥଳରେ ପହଞ୍ଚି ଏ ସମ୍ପର୍କରେ ପୋଲିସ୍‌କୁ ସୂଚନା ଦେଇଥିଲେ।

ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ହୋଟେଲ୍‌ ଦିଗନ୍ତିକାରେ ଲାଗିଥିବା ସିସିଟିଭି ଯାଞ୍ଚରୁ ଗତ ୨୭ ତାରିଖରୁ ଯୁବକଟିର ମୃତଦେହ ସେଠାରେ ପଡ଼ିଥିବାର ସୂଚନା ରହିଛି। ଉଲଗ୍ନ ଅବସ୍ଥାରେ ଯୁବକର ଶବଟି ପଡିଥିବାବେଳେ ଦେହରେ କିନ୍ତୁ ଇଟ୍‌ଷ୍ଟ୍ରିଟ୍‌ ରେସ୍ତୋରାଁର ଏକ ଟି- ସାର୍ଟ ପିନ୍ଧିଥିବା ଜଣାଯାଇଛି। ଶବ ପାଖରୁ ଥିବା ପ୍ୟାଣ୍ଟ ପକେଟରୁ  ପୋଲିସ୍ ଏକ ମୋବାଇଲ୍‌ ମଧ୍ୟ ଜବତ କରିଛି। ମୃତ ଯୁବକ ଜଣକର ବୟସ ପାଖାପାଖି ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଥିବାବେଳେ ପ୍ରକୃତ ପରିଚୟ ମିଳିପାରିନାହିଁ। ତେବେ ଯୁବକଜଣକ କେନ୍ଦ୍ରାପଡ଼ାର ଓ ସେ ନାରାୟଣୀ ରେସ୍ତୋରାଁରେ କାର୍ଯ୍ୟ କରୁଥିଲେ ବୋଲି ଶୁଣିବାକୁ ମିଳିଛି। ଏହି ଘଟଣାରେ ପୋଲିସ୍‌ ଏକ ଅପମୃତ୍ୟୁ ମାାମଲା ରୁଜୁ କରି ଏହାର ତଦନ୍ତ ଜାରି ରଖିଛି। ଏକ ପ୍ରତିଷ୍ଠିତ ହୋଟେଲ୍‌ ପାଖରୁ ଏପରି ଶବ ଉଦ୍ଧାର ହେବାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ

Related posts