
ସମୀକ୍ଷା ବ୍ୟୁରୋ
ପାରାଦୀପ/କୁଜଙ୍ଗ, ୨୪/୧୨: ନିଯୁକ୍ତି ଆଶାୟୀଙ୍କ ଦ୍ଵାରା ଜେଏସ୍ଡବ୍ଲ୍ୟୁ ଇନଫ୍ରାଷ୍ଟ୍ରକଚର ଲିମିଟେଡ କାର୍ଯ୍ୟାଳୟରେ ଭଙ୍ଗାରୁଜା ଘଟଣାରେ ୧୦ଜଣ ଛାତ୍ରକୁ ପୋଲିସ ଗିରଫ କରିଛି। ଆଦର୍ଶ ଥାନା ପୋଲିସ ଉକ୍ତ ଛାତ୍ରମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଉଲ୍ଲେଖଯୋଗ୍ୟ ଯେ ଆଜି ସକାଳେ ପାରାଦୀପରେ ରହିଥିବା ଜେଏସ୍ଡବ୍ଲ୍ୟୁ ଇନଫ୍ରାଷ୍ଟ୍ରକଚର ଲିମିଟେଡ କାର୍ଯ୍ୟାଳୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ୨୦୦ରୁ ଅଧିକ ଇଞ୍ଜିନିୟରିଂ ଛାତ୍ର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିବାର ଅଭିଯୋଗ ହୋଇଥିଲା। ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ନିଯୁକ୍ତି ପ୍ରଦାନ କରାଯାଇନଥିବାରୁ ଏହି ଆନ୍ଦୋଳନ କରାଯାଇଥିଲା ବୋଲି ସୂଚନା ରହିଛି। ଛାତ୍ରଛାତ୍ରୀମାନେ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି କୈଫିୟତ ମାଗିବା ସହିତ ବିଭିନ୍ନ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ଆଇନ ବିରୋଧ କାର୍ଯ୍ୟ କରିବା ଅଭିଯୋଗରେ କିଛି ଛାତ୍ରଛାତ୍ରୀଙ୍କୁ ପୋଲିସ୍ ଅଟକ ରଖିଥିଲା। ଏନେଇ ଅନ୍ୟ ଛାତ୍ରଛାତ୍ରୀମାନେ ଥାନାକୁ ଯାଇ ପାଟିତୁଣ୍ଡ କରିଥିଲେ।
ସମ୍ପୃକ୍ତ ଘଟଣାରେ ପୋଲିସ ୧୦ ଜଣ ଛାତ୍ରଙ୍କୁ ଗିରଫ କରିଥିବା ବେଳେ ଆଦର୍ଶ ଥାନାର ଆଇଆଇସି ରଜନୀକାନ୍ତ ସାମଲ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।