ଇକୋରିଟ୍ରିଟ୍‌ ପରିଦର୍ଶନ କରି ଧନ୍ଦାମୂଳକ ଶିକ୍ଷାର ଅଭିଜ୍ଞତା ହାସଲ କଲେ ଛାତ୍ରଛାତ୍ରୀ

Published: Jan 12, 2020, 11:33 am IST

ସମୀକ୍ଷା ବ୍ୟୁରୋ
କୋଣାର୍କ : କୋଣାର୍କରେ ଅନୁଷ୍ଠିତ ଇକୋ ରିଟ୍ରିଟ୍‌ ପରିଭ୍ରମଣ କରିଛନ୍ତି ସ୍କୁଲ ଛାତ୍ରଛାତ୍ରୀ। କୋଣାର୍କସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ଇଣ୍ଡଷ୍ଟ୍ରି ଭିଜିଟ୍‌ କାର୍ଯ୍ୟକ୍ରମରେ ଇକୋ ରିଟ୍ରିଟ୍‌ ପରିଦର୍ଶନ କରିବା ସହିତ ଧନ୍ଦାମୂଳକ ଶିକ୍ଷା ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି। ଅନୁସୂଚିତ ଜାତି ଓ ଜନଜାତି ଉଚ୍ଚ ବିଦ୍ୟାଳୟରେ ରହିଥିବା ରିଟେଲ୍‌ (ଖୁଚୁରା ବ୍ୟବସାୟ) ବିଭାଗ ଅଧୀନରେ ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଛାତ୍ରଛାତ୍ରୀଙ୍କୁ ବାସ୍ତବ ଜ୍ଞାନ ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମ ଚଳିତ 9 ତାରିଖରେ ଅନୁଷ୍ଠିତ ହୋଇଛି।


ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାସ, କ୍ରୀଡା ଶିକ୍ଷକ ଅଭୟ କୁମାର ମଲ୍ଲ ଏବଂ ରିଟେଲ୍‌ (ଖୁଚୁରା ବ୍ୟବସାୟ) ନିଯୁକ୍ତ ଶିକ୍ଷକ ଭାଗିରଥୀ ପାଇକରାୟ ଏବଂ ଭୋକେସନାଲ (ଧନ୍ଦାମୂଳକ ଶିକ୍ଷା) କୋ ଅର୍ଡିନେଟର ଦ୍ୟୁତିରଞ୍ଜନ ଦେଓଙ୍କ ନେତୃତ୍ବରେ ଛାତ୍ରଛାତ୍ରୀ ରିଟ୍ରିଟ୍‌ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାମଚଣ୍ଡୀର ମେରାଇନ୍‌ ଡ୍ରାଇଭ୍‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀ ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ଗ୍ରାହକ ସେବା, ବିଭିନ୍ନ ଦ୍ରବ୍ୟର ପରିସ୍କାର ପରିଛନ୍ନତା, କ୍ରେତା ବିକ୍ରେତା କଥୋପକଥନ ଏବଂ ବିଭିନ୍ନ ଦ୍ରବ୍ୟର ପ୍ୟାକିଂ ଦେଖିବା ସହି ଜ୍ଞାନ ଆହରଣ କରିଥିଲେ। ଏହା ସହିତ ଖୁଚୁରା ବ୍ୟବସାୟର ଉପାଦେୟତା ସମ୍ପର୍କରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଏହି ପରିଦର୍ଶନ ଭବିଷ୍ୟତରେ ଧନ୍ଦାମୂଳକ ଶିକ୍ଷାର ମାନବୃଦ୍ଧିରେ ସହାୟକ ହେବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ନମିତା ଦାସ ଏବଂ ଖୁଚୁରା ବ୍ୟବସାୟ ବିଭାଗ ଶିକ୍ଷକ ଭାଗିରଥୀ ପାଇକରାୟ ମତ ଦେଇଥିଲେ।

Related posts