ଅଜୟ ଉତ୍ସବ-୨୦୨୦: ଅଜୟ ମହାପାତ୍ରଙ୍କୁ ଅଜୟ ଉତ୍ସବ ସମ୍ମାନ

Published: Jan 31, 2020, 9:28 am IST

ଭୂବନେଶ୍ୱର : ପବିତ୍ର ସରସ୍ୱତୀ ପୂଜା ଅବସରରେ ବିଶିଷ୍ଟ କଥାକାର, ଗାଳ୍ପିକ, କବି, ଔପନ୍ୟାସିକ ଓ ଅଜୟ ସ୍ୱାଇଁଙ୍କ ନାମରେ ନାମିତ ‘ଅଜୟ ଉତ୍ସବ-୨୦୨୦’ ଭାରତୀୟ ବିଦ୍ୟାଭବନ, ଭୁବନେଶ୍ୱରଠାରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଉତ୍ସବରେ ଶତାଧିକ କଳା, ସଂସ୍କୃତି ଓ ସାହିତ୍ୟାନୁରାଗୀମାନେ ଉପସ୍ଥିତ ରହି ଏହି ଉତ୍ସବକୁ ସଫଳ କରିଥିଲେ । ଏହି କମିଟିର ଅଧ୍ୟକ୍ଷା ସାବିତ୍ରୀ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସମ୍ପାଦକ ଅକ୍ଷୟ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉତ୍ସବକୁ ପରିଚାଳନା କରିଥିଲେ କମିଟିର ସଭାପତି କବି ଅଶୋକ କୁମାର ପୁହାଣ । ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକଙ୍କ ଦ୍ୱାରା ଅଜୟ ଉତ୍ସବର ଥିମ୍ ସଙ୍ଗ୍ ପରିବେଷଣ ସାଙ୍ଗକୁ ସୀମାଦ୍ରି ରାଓଙ୍କ ଯନ୍ତ୍ର ସଙ୍ଗୀତ ବାଦନ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ଏହି ଉତ୍ସବରେ ବିଶିଷ୍ଟ କବି ହରପ୍ରସାଦ ଦାସ, ଦେବଦାସ ଛୋଟରାୟ, ବରିଷ୍ଠ ଚିତ୍ରଶିଳ୍ପୀ ବଳଦେବ ମହାରଥା, ବିଶିଷ୍ଟ ଗାଳ୍ପିକ ଗୌରହରି ଦାସ, ବିଶିଷ୍ଟ ସଂଳାପକାର ଡ. ରଜନୀ ରଞ୍ଜନ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଉତ୍ସବରେ ଗାଳ୍ପିକ, ଔପନ୍ୟାସିକ ଅଜୟ ମହାପାତ୍ରଙ୍କୁ ‘ଅଜୟ ଉତ୍ସବ ସମ୍ମାନ-୨୦୨୦’ (ସାହିତ୍ୟ) ପ୍ରଦାନ କରାଯାଇଥିବା ବେଳେ ତରୁଣ ପିଢୀର କବି ଦିପୁନ୍ ପୁହାଣଙ୍କୁ ଅଜୟ ଉତ୍ସବ ତରୁଣ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା ।

ପରିଶେଷରେ ଅଜୟ ଉତ୍ସବ କମିଟିର ଉପସଭାପତି ପ୍ରିୟରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବକୁ ପକ୍ଷୀଘରର ସମ୍ପାଦକ ଶ୍ରୀ ବନୋଜ ତ୍ରିପାଠୀ ପରିଚାଳନା କରିଥିଲେ ।

Related posts