ଜଗତସିଂହପୁରରେ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ

Published: Feb 11, 2020, 8:40 pm IST

ରମେଶ ମହାନ୍ତି
ଜଗତସିଂହପୁର: ମଙ୍ଗଳବାର ପୂର୍ବାହ୍ନରେ ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ବଳରାମପୁରର କାଠିଆପଡା ପ୍ରାଇମେରୀ ସ୍କୁଲରେ ଜିଲ୍ଲାସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ସ୍ୱତନ୍ତ୍ର ଟୀକାକରଣ ଅଭିଯାନ ଶୁଭାରମ୍ଭ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ ବିଜୟା ପଣ୍ଡା ଶିଶୁ ମାନଙ୍କୁ ଟୀକା ପ୍ରଦାନ କରି ସ୍ୱତନ୍ତ୍ର ଟୀକାକରଣ ଅଭିଯାନର ଶୁଭାରମ୍ଭ କରିଥିଲେ। ଜିଲ୍ଲାର ବାଲିକୁଦା, ବିରିଡି, ଜଗତସିଂହପୁର(ମଣ୍ଡାସାହି) ଓ ନାଉଗାଁ ବ୍ଲକରେ ଟୀକାକରଣରେ ୮୦ ପ୍ରତିଶତରୁ ଉର୍ଦ୍ଧ ଟୀକାକରଣ ହୋଇ ପାରି ନଥିବାରୁ ଏହି ସ୍ୱତନ୍ତ୍ର ଟୀକାକରଣ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଜିଲ୍ଲାରେ ୨ ବର୍ଷରୁ କମ୍‌ ଶିଶୁଙ୍କ ସଂଖ୍ୟା ବାଲିକୁଦା ବ୍ଲକରେ ୧୦୧ ଜଣ, ବିରିଡି ବ୍ଲକରେ ୧୦୦ ଜଣ, ମଣ୍ଡାସାହିରେ ୯୫ ଜଣ ଓ ନାଉଗାଁ ବ୍ଲକରେ ୩୭ଜଣଙ୍କୁ ମିଶାଇ ଜିଲ୍ଲାରେ ୩୩୩ ଜଣଙ୍କୁ ସ୍ୱତନ୍ତ୍ର ଟୀକାକରଣ ଅଭିଯାନରେ ସାମିଲ କରାଯିବାର ଲକ୍ଷ୍ୟ ରହିଛି। ପ୍ରଥମ ପର୍ଯ୍ୟାୟରେ ଫେବୃୟାରୀ ୧୧, ୧୩, ୧୪, ୧୫, ୧୮, ୨୦ ଏବଂ ୨୪ ତାରିଖରେ ଏହି ଟୀକାକରଣ କରାଯିବ। ଏହି ଉତ୍ସବରେ ଅତିରିକ୍ତ ଚିକିତ୍ସା ଅଧିକାରୀ, ପରିବାର କଲ୍ୟାଣ ଡଃ ପ୍ରମୋଦ କୁମାର ବାରିକ, ମଣ୍ଡାସାହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଜଗତସିଂହପୁର ସି.ଡି.ପି.ଓ, ଡି.ପି.ଏମ୍ ଚକ୍ରଧର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଜନନ ଓ ଶିଶୁ ସ୍ୱାସ୍ଥ୍ୟ ବିଭାଗ ସହ ପରିଚାଳକ ସୁକାନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Related posts