କରୋନା ସଚେତନତା ସଭାରେ ଅଢେଇ ଘଂଟା ବିଳମ୍ବରେ ପହଂଚିଲେ ବିଧାୟକ

Published: Mar 20, 2020, 10:28 pm IST

ରଞ୍ଜିତ ପଣ୍ଡା
କୁଜଙ୍ଗ: କୁଜଙ୍ଗ ବ୍ଳକ ସଭାଗୃହରେ ଆଜି କରୋନା ସମ୍ପର୍କୀତ ସ୍ୱତନ୍ତ୍ର ପଂଚାୟତ ସମିତି ବୈଠକ ପ୍ରହସନରେ ପରିଣତ ହୋଇଛି। ନିର୍ଦ୍ଧାରିତ ସମୟଠାରୁ ସ୍ଥାନୀୟ ବିଧାୟକଙ୍କ ପାଇଁ ଅଢେଇଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା ଏହି ସମାବେଶ। ଫଳରେ ଅର୍ଦ୍ଧାଧିକ ପଂଚାୟତ ନିର୍ବାଚିତ ପ୍ରତିନିଧି ମାନେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁପସ୍ଥିତ ରହିଥିଲେ। ସେହିପରିଭାବେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଶତପଥୀ ସ୍ଥାନୀୟ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ବୈଠକରେ ସାମିଲ ହେବାକୁ ଜିଲ୍ଲାପାଳ ବାରଣ କରିଥିବା କହି ଅନୁମତି ପ୍ରଦାନ କରିନଥିଲେ। ଫଳରେ ଉପସ୍ଥିତ ସାମ୍ବାଦିକମାନେ ଏହାର ତୀବ୍ର ପ୍ରତିବାଦ କରିଥିଲେ।

ପ୍ରକାଶଯେ, ଦୀର୍ଘ ପାଞ୍ଚମାସ ହେବ ବିଡ଼ିଓଙ୍କ ଅନୁପସ୍ଥିତିକ୍ରମେ ଏଠାରେ ଅତିରିକ୍ତ ବିଡ଼ିଓ ସନ୍ତୋଷ କୁମାର ଶତପଥୀ ବିଡ଼ିଓଭାବେ ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ଦୀର୍ଘ ୮ମାସ ହେବ ଏଠାରେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇନାହିଁ। କେବଳ କରୋନା ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସ୍ୱତନ୍ତ୍ରଭାବେ ପଂଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପୂର୍ବାହ୍ନ ସାଢେ ଦଶଟା ସମୟରେ ଅନୁଷ୍ଠିତ ହେବ ବୋଲି ପଂଚାୟତର ପ୍ରତିନିଧି ମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ମାତ୍ର ସ୍ଥାନୀୟ ବିଧାୟକ ସମ୍ବିତ ରାଉତରାୟ ପ୍ରାୟ ଅଢେଇଘଂଟା ବିଳମ୍ବରେ ଅର୍ଥାତ ପ୍ରାୟ ଅପରାହ୍ନ ଗୋଟାଏ ସମୟରେ ବ୍ଳକରେ ପହଂଚିଥିଲେ। ନିର୍ଦ୍ଧାରିତ ସମୟଠାରୁ ଅଢେଇ ଘଂଟା ବିଳମ୍ବରେ ବୈଠକ ଆରମ୍ଭ ହୋଇଥିବାରୁ ବିରକ୍ତି ପ୍ରକାଶ କରି କୁଜଙ୍ଗ ବ୍ଳକର ୨୮ ପଂଚାୟତରୁ ପ୍ରାୟ ୧୫ରୁ ଉର୍ଦ୍ଧ୍ଵ ପଂଚାୟତର ସରପଂଚ ଏବଂ ସମିତିସଭ୍ୟ ମାନେ ବୈଠକକୁ ବର୍ଜନ କରି ପଳାଇଥିଲେ। ବିଧାୟକ ପହଂଚିବାପରେ ଆରମ୍ଭ ହୋଇଥିବା ବୈଠକ ମାତ୍ର ଏକଘଂଟା ମଧ୍ୟରେ ଶେଷ ହୋଇ ଯାଇଥିଲା। ତେବେ ଔପଚାରିକତା ଦୃଷ୍ଟିରୁ କେବଳ କିଛି କରୋନା ସଚେତନତା ବାର୍ତା ପ୍ରଦାନ କରାଯାଇ ବୈଠକକୁ ଶେଷ କରି ଦିଆଯାଇଥିଲା।

ଏଭଳି ଭାବେ ଯଦି କରୋନା ସଚେତନତା କରାଯାଏ ତାହାଲେ ସ୍ଥାନୀୟ ଜନସାଧାରଣମାନେ କରୋନା ଭୂତାଣୁ ସମ୍ପର୍କରେ ଆବଶ୍ୟକୀୟ ସୂଚନା ପାଇପାରିବେ ନାହିଁ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପଂଚାୟତ ସମିତି ଅଧ୍ୟକ୍ଷ ସ୍ମୃତିରଞ୍ଜନ ବେହେରା, ଉପାଧ୍ୟକ୍ଷା ପୁଷ୍ପଲତା ବେହେରା, ଚିକିତ୍ସାଧିକାରୀ ଡ଼. ପ୍ରସନ୍ନ କୁମାର ପଣ୍ଡା, ସାଂସଦ ପ୍ରତିନିଧି ସୁଢଳ କୁମାର ସ୍ୱାଇଁ, ଅତିରିକ୍ତ ଯନ୍ତ୍ରୀ ସଙ୍ଗ୍ରାମ କେଶରୀ ପରିଡ଼ା, ଗ୍ରାମପଂଚାୟତ ସମ୍ପ୍ରସାରଣ ଅଧିକାରୀ ସତ୍ୟଜିତ ସ୍ୱାଇଁ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ତନୁପ୍ରଭା ବେଉରା ପ୍ରମୁଖ ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମ ଅବସରରେ ଯୋଗଦାନ କରିଥିଲେ।

Related posts