ଦେଶୀମଦ ବିରୁଦ୍ଧରେ ବାଲୁଗାଁ ଏସ୍‌ଡିପିଓଙ୍କୁ ଭେଟିଲେ ବାଣପୁର ମହିଳା ସମାଜ

Published: Jun 22, 2020, 6:12 pm IST

ବାଣପୁର/ ବାଲୁଗାଁ: ବାଣପୁର-ବାଲୁଗାଁରେ ଦେଶୀ ମଦ ବନ୍ୟାକୁ ରୋକିବାକୁ ବିଭିନ୍ନ ରାସ୍ତା ଆପଣେଇବା ପରେ ଶେଷରେ ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ଵାରସ୍ଥ ହୋଇଛନ୍ତି ମା ଭଗବତୀ ମହିଳା ବିକାଶ ମଞ୍ଚର ସଦସ୍ୟ ଓ ଏହାର ଆବାହକ। ଆଜି ଯୁବ ସମାଜସେବୀ ତଥା ମଞ୍ଚର ଆବାହକ ଲଲାଟେନ୍ଦୁ ଶତପଥୀ ଓ ଚିଲିକା ରିପୋର୍ଟର ଆସୋସିଏସନର ସମ୍ପାଦକ ଅମିତାଭ ପାଟ୍ଟଯୋଶୀ, ମନୋଜ କୁମାର ଜେନା ପ୍ରମୁଖଙ୍କ ସହ ମହିଳା କର୍ମକର୍ତ୍ତା ସବିତା ଦାସ, ରୀନା ଶ୍ରୀଚନ୍ଦନ, କଳ୍ପନା ମହାରଣା, ବବିନା ତ୍ରିପାଠୀ, କବିତାରାଣୀ ମହାପାତ୍ର, ସୁପ୍ରଭା ସାସମଲ ବାଲୁଗାଁ ଥାନାରେ ପୂର୍ବ ନିର୍ଧାରିତ ସମୟ ଅନୁସାରେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟିଥିଲେ।

ଉପଖଣ୍ଡ ଅଧୀକ୍ଷକ ଶ୍ରୀ ଏସ କେ ଦାସ ପ୍ରାୟ ଏକ ଘଣ୍‌ଟା ଧରି ଏହି ବିଷୟରେ ଆଲୋଚନା କରିଥିଲେ। ମଞ୍ଚ ତରଫରୁ ଏନେଇ ଏକ ଦାବି ପତ୍ର ମଧ୍ୟ ଆରକ୍ଷୀ ଅଧିକାରୀଙ୍କ ନିକଟରେ ଉପସ୍ଥାପନା କରାଯାଇଥିଲା।

ପୋଲିସ୍‌ ଓ ଅବକାରୀ ବିଭାଗର ମିଳିତ ରେଡ୍‌ ପରେ ମଧ୍ୟ ଏହି ଅଞ୍ଚଳରେ ଦେଶୀ ମଦ କାରବାର କମିବା ପରିବର୍ତ୍ତେ ବଢି ଚାଲିଛି ବୋଲି ଅଭିଯୋଗ କରିଥିଲେ ମହିଳା ସଦସ୍ୟା ବୃନ୍ଦା। ପୁଲିସ୍‌ ଓ ଅବକାରୀ ବିଭାଗର କିଛି ଅସାଧୁ କର୍ମଚାରୀ ଓ ଅସାଧୁ ବ୍ୟବସାୟୀଙ୍କ ମିଳିତ ମଧୁଚନ୍ଦ୍ରିକା ଯୋଗୁଁ ଏହି ବେପାର ବଢି ଚାଲିଥିବାର ଅଭିଯୋଗ ହେଉଛି। ଏପରି ସ୍ଥିତିରେ ପୋଲିସ ଓ ଅବକାରୀ ବିଭାଗର ଅସାଧୁ କର୍ମଚାରୀଙ୍କୁ ଦଣ୍ଡିତ କରାଯିବା ସହ ସମଗ୍ର ଅଞ୍ଚଳକୁ ମଦ ମୁକ୍ତ କରିବା ନେଇ କାର୍ଯ୍ୟାନୁଷ୍ଠାନ କରିବା ନେଇ ଦାବି ଜଣାଇଛନ୍ତି ଏହି ମହିଳା ବିକାଶ ସଦସ୍ୟ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ବିଷୟକୁ ନେଇ ଅତିରିକ୍ତ ଏସ ପି, ଉପଖଣ୍ଡ ଅଧୀକ୍ଷକ ଓ ଦୁଇ ଥାନାର ପ୍ରମୁଖ ଅଧିକାରୀ ବସି ଚର୍ଚ୍ଚା କରିବା ସହ ଉଦବେଗ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ମଦ ବେପାରୀଙ୍କ ନିସ୍ତାର ନାହିଁ ବୋଲି ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି।

Related posts