
ଭୁବନେଶ୍ବର: କରୋନା ଯୋଦ୍ଧାଙ୍କୁ ସମ୍ମାନ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ପକ୍ଷରୁ ଏକ ଡିଜିଟାଲ ଆନ୍ଦୋଳନ ଆରମ୍ଭ କରାଯାଇଛି।
କରୋନା ଭଳି ବିଶ୍ଵ ମହାମାରୀ ସମୟରେ ନିଜ ଜୀବନକୁ ବାଜି ଲଗାଇ ହଜାର ହଜାର ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀମାନେ ଦିନରାତି ଏହାର ମୁକାବିଲା କରିବା ପାଇଁ ଚେଷ୍ଟା କରୁଛନ୍ତି। ଏଭଳି ପରିସ୍ଥିତିରେ ଏହି ଯୁବ କର୍ମଚାରୀମାନେ ଯିଏକି ଆଇଏସ ଏବଂ ଓଏଏସ ମାନଙ୍କ ପରି ଓଡିଶା ପବ୍ଲିକ ସର୍ଭିସ କମିଶନ, ଓଡିଶା ଷ୍ଟାଫ ସିଲ୍ଲେକ୍ସନ କମିଶନ ଓ ଅନ୍ୟାନ ପ୍ରତିଯୋଗିତାମୂଳକ ପରିକ୍ଷାରେ ଉତ୍ତିର୍ଣ୍ଣ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ଏହି ଶ୍ରେଣୀୟ ଯୁବ କର୍ମଚାରୀମାନେ ମାତ୍ର ୮୮୮୦/- ଟଙ୍କା ମାସିକ ବେତନରେ ୬ ବର୍ଷ ପର୍ଯ୍ୟନ୍ତ ଦାଦନ ଖଟୁଛନ୍ତି, ଯାହାକି ସରକାରଙ୍କ ଘୋଷିତ ଦିନମଜୁରିଆରଙ୍କ ପାରିଶ୍ରମିକ ଠାରୁ କମ।
ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଏଭଳି ନିଯୁକ୍ତି ବ୍ୟବସ୍ଥାକୁ ଦୀର୍ଘ ଦିନ ହେବ ଘୋର ବିରୋଧ କରାଯାଉଛି। ଏହାର ପ୍ରତିବାଦରେ ଏହି ମହାସଂଘ ପକ୍ଷରୁ ଆଜିଠାରୁ ୧୫ ଦିନ ଧରି ଡିଜିଟାଲ ଆନ୍ଦୋଳନ ଆରମ୍ଭ ହୋଇଛି। ଏହାର ଫଳସ୍ଵରୂପ ରାଜ୍ୟରେ କାର୍ଯ୍ୟ କରୁଥିବା ସମସ୍ତ ଚୁକ୍ତିଭିତ୍ତିକ କର୍ମଚାରୀମାନେ ବିଭିନ୍ନ ପ୍ଲାକାର୍ଡ ଧରି ନିରବ ପ୍ରତିବାଦ କରି ସରକାରଙ୍କର ବିରୋଧରେ ଟୁଇଟର ଓ ଫେସବୁକ ମାଧ୍ୟମରେ ବିରୋଧ ପ୍ରଦର୍ଶନ କରାଯାଉଛି।