ବାଣପୁରରେ ଅମାନିଆ ଚୋରା ଦେଶୀ ମଦ ବେପାରୀଙ୍କୁ ଅବକାରୀ ବିଭାଗର ଛାଟ: ଗାଡ଼ି ସମେତ ଦୁଇ ଗିରଫ

Published: Jul 3, 2020, 11:33 am IST

ସୀତାରାମ ଅଗ୍ରୱାଲ

ଚିଲିକା: ବାଣପୁର-ବାଲୁଗାଁ ଅଞ୍ଚଳରେ ଅନଲକର ସୁଯୋଗ ନେଇ ଚୋରା ଦେଶୀ ମଦବେପାରୀ ସେମାନଙ୍କ ଚୋରା ପସରା ଖୋଲିଥିବାବେଳେ ଗତ କିଛିଦିନ ହେବ ଅବକାରୀ ବିଭାଗ ଲାଗି ସେମାନଙ୍କ ପସରାର ଫସର ଫାଟିଯାଉଛି। ଗତକାଲି ଅବକାରୀ ବିଭାଗ ବାଲୁଗାଁରୁ ୫୧ ଲିଟର ଦେଶୀ ମଦ ସହ ଦୁଇ ମଦ ବେପାରୀଙ୍କୁ ଗିରଫ କରିଥିବାବେଳେ ଆଜି ପୁଣି ବାଣପୁର ଥାନା ଅନ୍ତର୍ଗତ ସାନସିରେଇପୁର ବିଟ ହାଉସ ପାଖରୁ ଦୁଇ ଜଣ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୫୨ ଲିଟର ଦେଶୀ ମଦ ସହ ଗୋଟେ ମଟରସାଇକେଲ ଜବତ ହୋଇଥିବାର ସୂଚନା ଦେଇଛନ୍ତି ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ଏସ.ଆଇ ମନୋଜ ବାରିକ। ଗିରଫ ଦୁଇଜଣ ହେଲେ ରମେଶ ଚନ୍ଦ୍ର ଶବର ଓ ଶ୍ରୀଧର ଶବର। ଉଭୟଙ୍କ ଘର ନୀଳାଦ୍ରିପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ମୁଦୁଲିଡ଼ିହ ଗ୍ରାମର।

ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଟିମ ଗତକାଲି ରାତି ୨:୩୦ ସମୟରୁ ସାନସିରେଇପୁର ଫରେଷ୍ଟ ବିଟ ହାଉସ ପାଖେ ଛକି ରହିଥିଲେ। ପାଖାପାଖି ରାତି ୩:୩୦ ରେ ଉଭୟ ବେପାରୀ ଅବକାରୀ ବିଭାଗ ହାତରେ ଧରା ପଡ଼ିଥିଲେ। ଉକ୍ତ ଚଢାଉରେ ବାଲୁଗାଁ ଅବକାରୀ ବିଭାଗ ଏ.ଏସ.ଆଇ ରଂଜନୀ ମିଶ୍ର, କନଷ୍ଟେବଳ ରତ୍ନାକର ଜାଲୀ, ପ୍ରିୟବ୍ରତ ପରିଡ଼ା ଏବଂ ପୁରୁଷୋତ୍ତମ ସାମନ୍ତରାୟ ସାମିଲ ଥିଲେ। ଉଭୟଙ୍କ ବିରୋଧରେ କେସ ନମ୍ବର ୩୦, ୩୧ ରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ଅବକାରୀ ଅଧିକାରୀ ମନୋଜ ବାରିକ ସୂଚନା ଦେଇଛନ୍ତି। ସୂଚନା ଥାଉ କି ଗତ କିଛି ଦିନ ହେଲା ବାଣପୁର -ବାଲୁଗାଁ ଅଞ୍ଚଳରେ ବାରମ୍ବାର ଅଭିଯୋଗ ପରେ ଅବକାରୀ ବିଭାଗ ଆହୁରି କ୍ରିୟାଶୀଳ ହୋଇ ଉଠିଛି ଏବଂ ପ୍ରତିଦିନ ପାଟ୍ରୋଲିଂ ଜାରି ରଖିଛି।

Related posts