ପକ୍କା ରାସ୍ତାରୁ ବଞ୍ଚିତ ବାଣପୁର ମୋରମୋରୀ ପଂଚାୟତର ଟାଙ୍ଗିସାହି ବାସିନ୍ଦା

Published: Jul 27, 2020, 8:49 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ରାଜ୍ୟ ସରକାର ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନାରେ ପ୍ରତ୍ୟେକ ଗାଁକୁ କଂକ୍ରିଟ ରୋଡ଼ କରିବା ସକାଶେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିରୁ କିନ୍ତୁ ବାଦ ପଡିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମୋରମୋରୀ ପଂଚାୟତର ଟାଙ୍ଗିସାହି ଗାଁ। ଏହି ଗାଁର ହାରାହାରି ୩00 ଲୋକ ବାରମ୍ବାର ସ୍ଥାନୀୟ ସରପଞ୍ଚ ଓ ବିଡ଼ିଓ ତଥା ବିଧାୟକଙ୍କୁ ଜଣାଇ ଆସୁଥିଲେ ମଧ୍ୟ ଟାଙ୍ଗିସାହି ରାସ୍ତାକୁ ଏପର୍ଯ୍ୟନ୍ତ କଂକ୍ରିଟ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରାଯାଇ ପାରିଲା ନାହିଁ।

ଲୋକେ ନିଜ ଉଦ୍ୟମରେ ଟଂକା ଖର୍ଚ୍ଚ କରି ମାଟି କିଣି ଗାଁ ଦାଣ୍ଡରେ ପକାଇଥିଲେ ମଧ୍ୟ ଝିପି ଝିପି ବର୍ଷାରେ ବି ଆଣ୍ଠୁଏ ପାଣି ଜମା ହୋଇ ରହୁଛି। ଯିବା ଆସିବା କରିବା ପାଇଁ ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ବାଣପୁର ବିଡ଼ିଓଙ୍କ ପ୍ରତିକ୍ରିୟା ନେବାକୁ ବ୍ଲକ କାର୍ଯ୍ୟାଳୟକୁ ଯାଇଥିବା ସ୍ଥଳେ ବିଡ଼ିଓ ଯାଜପୁର ଜିଲ୍ଲା ବରି ବ୍ଲକକୁ ଟ୍ରାନ୍ସଫର ହୋଇଯାଇଛନ୍ତି ବୋଲି ବ୍ଲକ କର୍ମଚାରୀ କହିଥିଲେ। ତେବେ ଅସ୍ଥାୟୀ ଭାବରେ ବିଡିଓ ଙ୍କ କାର୍ଯ୍ୟଭାର ଗ୍ରହଣ କରିବେ ତହସିଲଦାର ମନ୍ମଥ ବେହେରା। କିନ୍ତୁ ଆଜି ଗଣମାଧ୍ୟମ ପ୍ରତିନିଧି ତହସିଲଦାରଙ୍କୁ ଭେଟି ଏହି ବିଷୟରେ କିଛି ପ୍ରତିକ୍ରିୟା ନେବାପାଇଁ ଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରିନାହିଁ।

ତୁରନ୍ତ ଏହାର ସମାଧାନ ପାଇଁ ବିହିତ ପଦକ୍ଷେପ ନେବାପାଇଁ ଟାଙ୍ଗୀ ସାହିର ଗ୍ରାମବାସୀମାନେ ଚିଲିକା ବିଧାୟକ ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ଗାଁଟି ପୂର୍ବତନ ଚିଲିକା ବିଧାୟକ ବିଭୂତି ଭୂଷଣ ହରିଚନ୍ଦନଙ୍କ ନିଜ ଅଞ୍ଚଳର ହୋଇଥିଲେ ହେଁ ଏହା ବହୁ ବର୍ଷ ହେଲା କାହାରି ବି ଦୃଷ୍ଟିଗୋଚର ହେଉନାହିଁ।

Related posts