ସୀତାରାମ ଅଗ୍ରଓ୍ବାଲ
ବାଣପୁର : ରାଜ୍ୟରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାର ବାଣପୁର ବ୍ଲକରେ ମଧ୍ୟ ଦିନକୁ ଦିନ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ବାଣପୁର ବ୍ଲକରୁ ଚିହ୍ନଟ ପଜିଟିଭଙ୍କ ମଧ୍ୟରେ ବାଣପୁର ତହସିଲଦାର୍ ମନ୍ମଥ ବେହେରା ରହିଛନ୍ତି। ତହସିଲଦାର୍ଙ୍କ ସମେତ ତହସିଲ କାର୍ଯ୍ୟାଳୟର ଅନ୍ୟ ଚାରିଜଣ କର୍ମଚାରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ଶ୍ରୀ ବେହେରା ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିବାବେଳେ ତାଙ୍କର କରୋନା ପଜିଟିଭ୍ ଆସିଥିବା ନେଇ ସେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ ହୋମ୍ କ୍ବାରେଣ୍ଟାଇନ୍ରେ ରହିବା ସହିତ କରୋନା ପରୀକ୍ଷା କରିବାକୁ ନିବେଦନ କରିଛନ୍ତି।
ଜଣେ ଉତ୍ତମ ତହସିଲଦାର ଭାବେ ନିଜ ଦାୟିତ୍ବ ସମ୍ପାଦନ କରୁଥିବା ଶ୍ରୀ ବେହେରା କରୋନା ଆକ୍ରାନ୍ତ ହେବା ପରେ ସ୍ଥାନୀୟ ଜନସାଧାରଣଙ୍କୁ ସତର୍କ ଓ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି। କାମ ନଥିଲେ ଅଯଥାରେ ବାହାରକୁ ଆସି କରୋନାକୁ ସାଥୀରେ ନେଇ ଘରକୁ ଯାଆନ୍ତୁନି ବୋଲି କହିଛନ୍ତି ଶ୍ରୀ ବେହେରା। ତେବେ ବାଣପୁର ତହସିଲଦାରଙ୍କ କରୋନା ଆକ୍ରାନ୍ତ ହେବା ପରେ ତାଙ୍କର ଆଶୁ ଆରୋଗ୍ୟ ଲାଗି କାମନା କରିଛନ୍ତି ବାଣପୁରବାସୀ।