ସାରଳା ପୁରସ୍କାର ବିଜେତା ଗାଳ୍ପିକ ମନୋଜ କୁମାର ପଣ୍ଡାଙ୍କ ପରଲୋକ

Published: Jul 9, 2020, 9:11 pm IST

ଓଡିଶାର ବିଶିଷ୍ଟ କଥାଶିଳ୍ପୀ ତଥା ଆଲୋଚକ ମନୋଜ କୁମାର ପଣ୍ଡାଙ୍କର ଆଜି ଅପରାହ୍ନରେ ପରଲୋକ ଘଟିଛି। ବଲାଙ୍ଗୀର ସ୍ଥିତ ତାଙ୍କ ବାସଭବନରେ ଆଜି ଅକସ୍ମାତ ହୃଦଘାତରେ ତାଙ୍କର ପରଲୋକ ଘଟିବା ଖବର ଓଡିଆ ସାହିତ୍ୟ ଜଗତକୁ ସ୍ତବ୍ଧ କରି ଦେଇଛି। ଏକ ଭିନ୍ନ ଧାରାର କଥାଶିଳ୍ପୀ ଭାବରେ ତାଙ୍କର ଏକ ସ୍ଵତନ୍ତ୍ର ପରିଚୟ ରହିଥିଲା। ଶ୍ରୀ ପଣ୍ଡା ୪,ଅକ୍ଟୋବର,୧୯୫୪ ରେ ବଲାଙ୍ଗୀରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରଥମ ଗଳ୍ପ ସଂକଳନ “ହାଡ ବଗିଚା” ଏକ ଭିନ୍ନ ସ୍ବାଦର ଗଳ୍ପ ସଂକଳନ ଭାବରେ ବେଶ ଚର୍ଚ୍ଚିତ ହୋଇଥିଲା। ପରେ ପରେ “ବର୍ଣ୍ଣ ବଗିଚା” ଓ “ଶବ୍ଦ ବଗିଚା” ନାମରେ ତାଙ୍କର ଅନ୍ୟ ଦୁଇଟି ଗଳ୍ପ ସଂକଳନ ମଧ୍ୟ ପ୍ରକାଶ ପାଇଥିଲା। ତାଙ୍କର କଥାବସ୍ତୁ ଓ ଶୈଳୀ ସ୍ଵାତନ୍ତ୍ର୍ୟ ତାଙ୍କୁ ଜଣେ ଭିନ୍ନ କଥାଶିଳ୍ପୀ ର ମର୍ୟାଦା ଦେଇଥିଲା। ଭାଷା ଓ ବୈଜ୍ଞାନିକ ଅବବୋଧ ସମ୍ପର୍କରେ ସେ କେତେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ଲେଖିଥିଲେ। ସମସାମୟିକ ଓଡିଆ ଗଳ୍ପ କଳାର ସେ ଥିଲେ ଜଣେ ଅତ୍ୟନ୍ତ ପ୍ରଭାବଶାଳୀ କଥାକାର। କଥା ସାହିତ୍ଯ ପ୍ରତି ତାଙ୍କର ଅବଦାନ ପାଇଁ ତାଙ୍କୁ ସମ୍ମାନଜନକ ସାରଳା ପୁରସ୍କାର ଓ ଓଡିଶା ସାହିତ୍ଯ ଏକାଡେମି ପୁରସ୍କାର ମିଳିଥିଲା। ଏହି ଯଶସ୍ଵୀ ଲେଖକଙ୍କ ଅକାଳ ବିୟୋଗରେ ଓଡିଶାର ବହୁ ଲେଖକ ଓ ବୁଦ୍ଧିଜୀବୀ ଶୋକ ପ୍ରକାଶ କରିଛନ୍ତି।

Related posts