ସିଲିଗୁଡ଼ିରେ ମମତାଙ୍କ ଉପରେ ବର୍ଷିଲେ ମୋଦି : କହିଲେ ବିକାଶର ‘ସ୍ପିଡ ବ୍ରେକର୍‌ ଦିଦି’

Published: Apr 3, 2019, 5:16 pm IST
modi target mamata in siligudi

ବିଜେପିର ନିର୍ବାଚନ ପ୍ରଚାରରେ ସିଲିଗୁଡ଼ିଠାରେ ଏକ ସଭାକୁ ସମ୍ବୋଧିତ କରି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ କ୍ଷମତାଧାରୀ ତୃଣମୂଳ  କଂଗ୍ରେସ ସମେତ ବାମପନ୍ଥୀ ଓ କଂଗ୍ରେସ ଉପରେ ମଧ୍ୟ କଡ଼ା ହମଲା କରିଛନ୍ତି। ପିଏମ ମୋଦୀ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ସ୍ପିଡ ବ୍ରେକର ଦିଦି’ ଆଖ୍ୟା ଦେଇ କହିଛନ୍ତି ଯେ, ରାଜ୍ୟର ବିକାଶକୁ ଦିଦି ରୋକିବାର କାମ କରୁଛନ୍ତି।  ମୋଦୀ କହିଛନ୍ତି ଯେ, ମମତା ଦିଦି ବିକାଶ ପାଇଁ ସ୍ପିଡ ବ୍ରେକର ଦିଦି। କଂଗ୍ରେସ ଓ ମମତାଙ୍କୁ ଗରିବୀ ଦରକାର ଯଦ୍ଵାରା ସେମାନେ ଭୋଟ୍ ସାଉଁଟି ପାରିବେ।  ଦିଦି ରାଜ୍ୟର ୭୦ ଲକ୍ଷରୁ ଅଧିକ କୃଷକ ପରିବାରଙ୍କ ବିକାଶ ଉପରେ ବ୍ରେକ୍ ଲଗାଇ ଦେଇଛନ୍ତି। ସମଗ୍ର ଦେଶରେ କିସାନ ସମ୍ମାନ ନିଧି ଯୋଜନା ଆଧାରରେ ଟଙ୍କା ଦିଆଯାଉଛି, ମାତ୍ର ଦିଦି ଏହି ସ୍କିମ ଉପରେ ମଧ୍ୟ ବ୍ରେକ୍ ଲଗାଇ ଦେଇଛନ୍ତି। ସେହିପରି ସରକାର ଦେଶର ଗରିବଙ୍କ ପାଇଁ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଇଛନ୍ତି । କିନ୍ତୁ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟବାସୀଙ୍କୁ ଏହି ଫାଇଦାରୁ ବଞ୍ଚିତ କରାଇଛନ୍ତି । ରାଜ୍ୟରେ ଗରିବ ନ ରହିଲେ ମମତାଙ୍କ ରାଜନୀତି ଶେଷ ହୋଇଯିବ। ମମତାଙ୍କ ମନ୍ତ୍ରୀମାନେ ଗରିବଙ୍କୁ ଲୁଟୁଛନ୍ତି। ରାଜ୍ୟରେ ହୋଇଥିବା ଚିଟ୍‌ଫଣ୍ଡ ଦୁର୍ନୀତିରେ ମନ୍ତ୍ରୀ ଏବଂ ବିଧାୟକମାନେ ଗରିବଙ୍କ ଟଙ୍କା ଲୁଟ କରିଛନ୍ତି। ଭାରତୀୟ ବାୟୁସେନା ବାଲାକୋଟରେ ଆକ୍ରମଣ କରି ଫେରିବା ପରେ ଇସଲାମାବାଦ ଏବଂ ରାୱଲପିଣ୍ଡି ଆଖିରୁ ଲୁହ ଗଡ଼ାଇବା କଥା। କିନ୍ତୁ ଦିଦିଙ୍କୁ ଏଠାରେ କଷ୍ଟ ହେଉଥିଲା। ସେ ଏୟାର ଷ୍ଟ୍ରାଇକ୍‌ର ପ୍ରମାଣ ମାଗୁଥିଲେ। ତେଣୁ ରାଜ୍ୟର ବିକାଶ ଲାଗି ଏଠାରେ ବିଜେପି ସରକାର ଗଠନ ପାଇଁ ବିଜେପି ପ୍ରାର୍ଥୀମାନଙ୍କୁ‌ ଭୋଟ ଦେବାକୁ ମୋଦୀ ନିବେଦନ କରିଥିଲେ।

Related posts