ମାଓବାଦୀ ହମ୍‌ଲାରେ ୪ ଯବାନ ସହିଦ

Published: Apr 4, 2019, 3:46 pm IST
naxal attack in kangor - chattisgarh

ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ବାକି ଥିବାବେଳେ ଲାଲବାହିନୀର ଉପଦ୍ରବ ଆରମ୍ଭ ହୋଇଯାଇଛି। ଛତିଶଗଡ଼ କାଙ୍କେର ଜିଲ୍ଲାର ପଙ୍ଖାଜୁରରେ ମାଓ ହିଂସା ଦେଖିବାକୁ ମିଳିଛି। ମାଓବାଦୀଙ୍କ ଗୁଳିରେ ବିଏସ୍‌ଏଫ୍‌ର ୪ ଜଣ ଯବାନ ଶହୀଦ ହୋଇଛନ୍ତି। ଏଥିରେ ଜଣେ ଏଏସ୍‌ଆଇ ଅଛନ୍ତି। ଆଣ୍ଟି ନକ୍ସଲ ଅପରେସନର ଡିଆଇଜି ସୁନ୍ଦରାଜ ପିଙ୍କ  ସୂଚନା ମୁତାବକ, ଗୁରୁବାର ସକାଳେ ପଙ୍ଖାଜୁରରେ ଅଂଚଳରେ ମାଓବାଦୀ ଥିବା ନେଇ ସୂଚନା ମିଳିଥିଲା। ଏହା ପରେ ବିଏସ୍‌ଏଫ୍‌-୧୧୪ ବାଟାଲିଅନ୍‌ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରି ଦେଇଥିଲେ। ପଙ୍ଖାଜୁରରୁ ପ୍ରାୟ ୩୫ କିଲୋମିଟର୍‌ ଦୂରରେ ପ୍ରତାପୁର ଥାନା ଅନ୍ତର୍ଗତ ମୋହଲା ଜଙ୍ଗଲରେ ମାଓବାଦୀମାନେ ଅତର୍କିତ ଆକ୍ରମଣ କରିଥିଲେ। ପ୍ରଥମେ ଜଣେ ଯବାନ ରାମକୃଷ୍ଣନଙ୍କ ଘଟଣା ସ୍ଥଳରେ ଶହୀଦ ହୋଇଥିଲା। ଏହା ପରେ ତିନି ଜଣଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ ଜଣ ଯବାନ ଶହୀଦ ହୋଇଛନ୍ତି। ଏହି ଆକ୍ରମଣରେ ପ୍ରାୟ ୩୦ ରୁ ୪୦ ମାଓବାଦୀ ଥିଲେ ବୋଲି ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଘଟଣା ପରେ ସଂପୃକ୍ତ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କାଙ୍କେରରେ ଅପ୍ରେଲ ୧୮ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। ଯାହାକୁ ମାଓବାଦୀମାନେ ପୂର୍ବରୁ ବିରୋଧ କରି ଆସୁଛନ୍ତି।

 

Related posts