ବର୍ଦ୍ଧିତ ବିଦ୍ୟୁତ୍ ଦର ପ୍ରତ୍ୟାହାର ଦାବିରେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ, 30 ମିନିଟ ଲାଇନ ବନ୍ଦ କରିବାକୁ ନିଷ୍ପତି

Published: Mar 31, 2021, 11:14 pm IST

ଭୁବନେଶ୍ୱର, କୋଭିଡ୍ ମହାମାରୀ ଯୋଗୁଁ ରାଜ୍ୟବାସୀଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ଏବଂ ଏହି ସମସ୍ୟାରୁ ଜନସାଧାରଣ ସଂପୂର୍ଣ୍ଣ ମୁକ୍ତ ହୋଇନଥିବା ବେଳେ ରାଜ୍ୟ ସରକାରଙ୍କର ବିଦ୍ୟୁତ୍ ଦର ବୃଦ୍ଧି ଅତ୍ୟନ୍ତ ଅପରିଣାମଦର୍ଶିତା ଓ ଉପଭୋକ୍ତାଙ୍କ ଉପରେ ଏକ ବୋଝ ସଦୃଶ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏଥିପାଇଁ ରାଜ୍ୟବ୍ୟାପୀ ଜନ ଅସନ୍ତୋଷ ଦେଖା ଦେଇଛି ।

ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ କଂଗ୍ରେସ ଦଳ ଏହାକୁ କଦାପି ବରଦାସ୍ତ କରିବ ନାହିଁ । ଏହି ବର୍ଦ୍ଧିତ ଦର ସମସ୍ତଙ୍କୁ ବାଧୁ ଥିବାରୁ ଅପ୍ରେଲ ୪ ତାରିଖ ରବିବାର ସନ୍ଧ୍ୟା ଘ. ୬.୩୦ ମିନିଟ୍ ଠାରୁ ସନ୍ଧ୍ୟା ୭ ଘଟିକା ପର‌୍ୟ୍ୟନ୍ତ (୩୦ ମିନିଟ୍ ନିମନ୍ତେ) ରାଜ୍ୟବାସୀ ପ୍ରତିବାଦ ସ୍ୱରୂପ ନିଜ ଘରର ସମସ୍ତ ଲାଇଟ୍ ଓ ବୈଦ୍ୟୁତିକ ଉପକରଣ ବନ୍ଦ୍ ରଖିବା ପାଇଁ ପଟ୍ଟନାୟକ ନିବେଦନ କରିଛନ୍ତି ।

ଏହି ବର୍ଦ୍ଧିତ ଦର ପ୍ରତ୍ୟାହାର ଦାବିରେ ପ୍ରତ୍ୟେକ ଜିଲ୍ଲା କଂଗ୍ରେସ କମିଟି ତା ୫.୪.୨୦୨୧ ରିଖ ସୋମବାର ଦିନ ଜିଲ୍ଲା ସଦର ମହକୁମାଠାରେ ଥିବା ବିଦ୍ୟୁତ୍ କାର‌୍ୟ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ୪ ଘଣ୍ଟିଆ ଧାରଣା ଦେବେ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ସଂପୃକ୍ତ ବିଦ୍ୟୁତ୍ ଅଧିକାରୀଙ୍କୁ ପ୍ରଦାନ କରିବେ ।

ସେହିଭଳି ଆସନ୍ତା ଏପ୍ରିଲ୍ ୬ ତାରିଖ ମଧ୍ୟରେ ପ୍ରତ୍ୟେକ ବ୍ଲକ ନଗର କଂଗ୍ରେସ କମିଟି ପକ୍ଷରୁ ନିଜ ଅଂଚଳରେ ଥିବା ବିଦ୍ୟୁତ୍ କାର‌୍ୟ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ଓ ୪ ଘଣ୍ଟିଆ ଧାରଣା ଦିଆଯିବ ବୋଲି ପିସିସି ପକ୍ଷରୁ ନିଷ୍ପତି ନିଆଯାଇଛି ।

Related posts