ନୂଆଦିଲ୍ଲୀ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଏବେ ଉନ୍ନତି ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ତାଙ୍କୁ ଫୋନ କରି ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଛନ୍ତି।
ଶରଦ ପାୱାରଙ୍କ ଘନିଷ୍ଠ ବିଠଲ ମଣିୟାରଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ଆପଣ ନିଜର ଯତ୍ନ ନିଅନ୍ତୁ, ଆମେ ଦେଶର ଯତ୍ନ ନେବୁ। ଆପଣ ଆମକୁ ମାର୍ଗଦର୍ଶନ କରୁଥାନ୍ତୁ।”
ଗତ ୨ ନଭେମ୍ବରରେ ଛାତିରେ ଯନ୍ତ୍ରଣା ଅଭିଯୋଗ ପରେ ୮୫ ବର୍ଷୀୟ ଶରଦ ପାୱାରଙ୍କୁ ପୁଣେର ରୁବି ହଲ କ୍ଲିନିକରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଝିଅ ତଥା ବାରାମତି ସାଂସଦ ସୁପ୍ରିୟା ସୁଲେ ସାମାଜିକ ଗଣମାଧ୍ୟମ ଏକ୍ସରେ ସୂଚନା ଦେଇଥିଲେ ଯେ, କାଶ ପରେ ତାଙ୍କୁ ହସ୍ପିଟାଲ ଅଣାଯାଇଥିଲା। ଡାକ୍ତରୀ ଯାଞ୍ଚରେ ସବୁ ମାନ ସ୍ଥିର ଅଛି ଏବଂ ତାଙ୍କ ଅବସ୍ଥାରେ ସୁଧାର ଆସିଛି ବୋଲି ହୃଦରୋଗ ବିଶେଷଜ୍ଞ ଡାକ୍ତର ପରଭେଜ କେ ଗ୍ରାଣ୍ଟ କହିଛନ୍ତି।
ଡାକ୍ତରଙ୍କ ଅନୁସାରେ ଶରଦ ପାୱାରଙ୍କୁ ପ୍ଲୁରିଟିକ ପେନ ହୋଇଥିଲା, ଯାହା ଶ୍ୱାସକ୍ରିୟା ଜନିତ ଛାତି ଯନ୍ତ୍ରଣା ଏବଂ ଏହା ସାଧାରଣତଃ ନିଶ୍ୱାସ ନେବା, କାଶିବା ବା ଛିଙ୍କିବା ସମୟରେ ବଢିଥାଏ।


