ସ୍ମୃତିଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିବାଦ

Published: Apr 12, 2019, 12:51 pm IST

କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ପ୍ରାର୍ଥୀ ସ୍ମୃତି ଇରାନୀଙ୍କ ନାମାଙ୍କନକୁ ନେଇ ପୁଣି ବିବାଦ ଦେଖାଯାଇଛି । ଚଳିତ ନିର୍ବାଚନରେ ଉତ୍ତର ପ୍ରଦେଶର ଆମେଥିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଗତ ଗୁରୁବାର ସ୍ମୃତିଙ୍କ ନାମାଙ୍କନ ପତ୍ର ଦାଖଲରେ ଦର୍ଶାଇଥିବା ଶିକ୍ଷାଗତ ଯୋଗ୍ୟତାକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ​‌ ହୋଇଛି । ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ବିରୋଧୀମାନଙ୍କ ମଧ୍ୟରେ ଅନେକ ସମୟରେ ବିତର୍କ ଦେଖିବାକୁ ମିଳେ । ଚଳିତ ନିର୍ବାଚନରେ ସେ ନାମାଙ୍କନପତ୍ର ଦାଖଲ କରିବା ସମୟରେ ଯେଉଁ ସତ୍ୟପାଠ ଦେଇଛନ୍ତି ସେଥିରେ ଉଲ୍ଲେଖ କରିଛନ୍ତି ଯେ, ସେ ସ୍ନାତକ ଶେଷ କରିନାହାନ୍ତି । ସେ ଦର୍ଶାଇଛନ୍ତି,୧୯୯୧ରେ ସେ ମାଧ୍ୟମିକ ସ୍କୁଲ ପରୀକ୍ଷାରେ ପାସ୍‌ କରିଥିଲାବେଳେ ୧୯୯୩ରେ ଉଚ୍ଚ ମାଧ୍ୟମିକ ସ୍କୁଲ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୨୦୧୪ ନିର୍ବାଚନ ସମୟରେ ଦେଇଥିବା ସତ୍ୟପାଠରେ ସ୍ମୃତି ଇରାନୀ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ୧୯୯୪ରେ ସ୍ନାତକ ପାସ୍‌ କରିଥିବା ଦର୍ଶାଇଥିଲେ । ସେତେବେଳେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସେ ସ୍ନାତକ ପାସ୍‌ କରି ନ ଥିବା ବିରୋଧୀମାନେ ଅଭିଯୋଗ କରିଥିଲେ। ଏହାବ୍ୟତୀତ ତାଙ୍କର ୪ କୋଟି ୭୧ଲକ୍ଷ ଟଙ୍କା ମୂଲ୍ୟର ସମ୍ପତ୍ତି ରହିଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି।

Related posts