ହରିୟାଣାରେ ଆପ୍ ଓ ଜେଜେପି ମଧ୍ୟରେ ମେଣ୍ଟ ହୋଇଯାଇଛି । ଦିଲ୍ଲୀରେ ଆପ୍ – କଂଗ୍ରେସ ମେଣ୍ଟ ହୋଇପାରିନଥିବାବେଳେ ହରିୟାଣାରେ କିନ୍ତୁ ଆପ୍ ଜନନାୟକ ଜନତା ପାର୍ଟି ସହ ମେଣ୍ଟ କରିଛି । ହରିୟାଣର ୧୦ଟି ଲୋକସଭା ଆସନରେ ଜେଜେପି ୭ଟି ଆସନ ଓ ଆପ୍ ୩ଟି ଆସନରେ ନିର୍ବାଚନ ଲଢିବେ ବୋଲି ସୂଚନା ଦେଇଛନ୍ତି । ଆପ୍ ନେତା ଗୋପାଲ ରାୟ ଓ ଜେଜେପି ନେତା ଦୁଷ୍ମନ୍ତ ସିଂ ଚୌଟାଲାଙ୍କ ଉପସ୍ଥିତିରେ ଏହା ଘୋଷଣା କରାଯାଇଛି । ଗତ କିଛିଦିନ ଧରି ଦିଲ୍ଲୀରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଚାଲିଥିଲା । ଦିଲ୍ଳୀର ୭ଟି ଲୋକସଭା ଆସନରେ ୪-୩ ସୂତ୍ରରେ ଆସନ ବୁଝାମଣା ନେଇ ରାଜି ହୋଇଥିବାର ଖବର ମଧ୍ୟ ଆସିଥିଲା କିନ୍ତୁ ଆଜି କଂଗ୍ରେସର ମୁଖ୍ୟ ପ୍ରଭାରୀ ପିସି ଚାକୋ ଦିଲ୍ଲୀରେ କଂଗ୍ରେସ ଏକାକୀ ନିର୍ବାଚନ ଲଢିବ ବୋଲି ସୂଚନା ଦେଇ ଏହି ମେଣ୍ଟ ଉପରୁ ସମସ୍ତ କଳ୍ପନାର ଅନ୍ତ ଘଟାଇଛନ୍ତି । ତେବେ ଆପ୍ ଦିଲ୍ଲୀ ସହ ହରିୟାଣାରେ ମଧ୍ୟ କଂଗ୍ରେସ ସହ ମେଣ୍ଟ କରିବାର ସର୍ତ୍ତ ରଖିଥିଲା । ତେବେ ଏହାକୁ ନେଇ କଂଗ୍ରେସ ଅସହମତି ହୋଇଥିଲା ।