ଭୁବନେଶ୍ବର: ପିପିଲି ଉପନିର୍ବାଚନ ସମୟରେ ଶାନ୍ତି ଶୃଙ୍ଖଳା ବଜାୟ ସହ ଅବାଧ ଓ ମୁକ୍ତ ନିର୍ବାଚନ ନିମନ୍ତେ ତିନି କମ୍ପାନୀ ବି.ଏସ୍.ଏଫଙ୍କ ସହ ପ୍ରାୟ ୨୦୦୦ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି । ପୁରୀ ଅରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ୩୨ ଗୋଟି ମୋବାଇଲ ସୁରକ୍ଷା ଦଳ ଗଠନ କରାଯାଇଛି ଯାହାକୁ କି ୭ ଜଣ ଡି.ଏସ୍.ପି ଓ ୩ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସହାୟତା କରିବେ ।
ନିର୍ବାଚନ ମଣ୍ଡଳୀର ୩୪୮ ଗୋଟି ବୁଥ୍ ମଧ୍ୟରୁ ୨୦୧ ଗୋଟି ବୁଥକୁ ସମ୍ବେଦନଶୀଳ ବୁଥ୍ ଭାବରେ ଚିହ୍ନଟ କରାଯାଇଛି । ଏହି ସବୁ ବୁଥ୍ ଗୁଡିକରେ କେନ୍ଦ୍ରୀୟ ସସସ୍ତ୍ର ବଳ ଏବଂ ମାଇକ୍ରୋ ଅବଜରଭର, ଓ୍ୱେବ୍ କ୍ୟାମେରା ଇତ୍ୟାଦିକୁ ମୁତୟନ କରାଯିବାକୁ ନିଷ୍ପତି ନିଆଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ କରିଛନ୍ତି ।
ନିର୍ବାଚନ କାର୍ଯ୍ୟରେ ମୋଟ ୪୩୨ ଗୋଟି ଯାନ ନିୟୋଜିତ କରାଯାଇଛି । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସରକାରୀ କର୍ମଚାରୀ, ପୁଲିସ୍ କର୍ମଚାରୀ, ବାହାରର କର୍ମଚାରୀ ଯଥା-ଯାନ ଚାଳକ, କ୍ୟାମେରା ମ୍ୟାନ୍ ଇତ୍ୟାଦି ସମସ୍ତଙ୍କୁ କୋଭି଼ଡ୍ ଟିକା ପ୍ରଦାନ କରାଯାଇଛି ବୋଲି ଜିଲ୍ଲା ପ୍ରଶାସନ ସୂତ୍ରରୁ ପ୍ରକାଶ କରାଯାଇଛି ।
ସେହିପରି ଅନୂରୁପ ଭାବେ ସମସ୍ତ ପ୍ରାର୍ଥୀ ମାନଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ନିର୍ବାଚନ ଏଜେଣ୍ଟ, ଗଣତି ଏଜେଣ୍ଟ ଇତ୍ୟାଦିଙ୍କୁ ସମ୍ପୁର୍ଣ୍ଣ କୋଭିଡ ଟୀକା ପ୍ରଦାନ କରାଯାଇଛି । ଏଥି ନିମନ୍ତେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ତରଫରୁ ପୁରୀ, ଡେଲାଙ୍ଗ ଓ ପିପିଲିରେ ସ୍ୱତନ୍ତ୍ର କୋଭିଡ୍ ଟୀକାକରଣ କ୍ୟାମ୍ଫ୍ ଆୟୋଜିତ ହୋଇଥିଲା ।
ପିପିଲି ଉପନିର୍ବାଚନ ନିମନ୍ତେ ମୋଟରେ ୩୪୮ ଗୋଟି ବ୍ୟାଲଟ ୟୁନିଟ୍ , ୩୪୮ ଗୋଟି କଣ୍ଟ୍ରୋଲ ୟୁନିଟ୍ ଓ ୩୪୮ ଗୋଟି ଭି.ଭି.ପ୍ୟାଟ୍ କୁ ନିୟୋଜିତ କରାଯାଇଥିବା ବେଳେ ପର୍ଯ୍ୟାପ୍ତ ପରିମାଣର ଇ.ଭି.ଏମ୍ କୁ ଗଚ୍ଛିତ କରି ରଖାଯାଇଛି । ନିର୍ବାଚନ ସମୟରେ ଇ.ଭି.ଏମ ରେ କୈଣସି ପ୍ରକାର ତ୍ରୁଟିକୁ ସୁଧାରିବା ନିମନ୍ତେ ହାଇଦ୍ରାବଦରୁ ଆସିଥିବା ୮ ଜଣ ଇଞ୍ଜିନିୟର ମାନଙ୍କୁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଅବସ୍ଥାପିତ କରାଯାଇଛି ।