ସୀତାରାମ ଅଗ୍ରୱାଲ
ବାଣପୁର: ଆଶ୍ଵିନ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀ ଓ ଦେବୀ କନକ ଦୂର୍ଗାଙ୍କ ସହସ୍ରକୁମ୍ଭାଭିଷେକ ହୋଇ ପାର୍ବଣର ଏହି ପ୍ରଥମାର୍ଦ୍ଧ ପୂଜା ଆରମ୍ଭ ହୋଇଥାଏ। ଏହା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିଥାଏ। ମହାଳୟା ଅମାବାସ୍ୟାର ମଧ୍ୟରାତ୍ରରେ ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ଓ ଦେବୀ ବିରାଜାଇଙ୍କ ଦାରୁ ପ୍ରତିମାଙ୍କ ଭେଟ ଉତ୍ସବ ଅନୁଷ୍ଠିତ ହୋଇଥାଏ।
ବାଣପୁରରେ ରାଜା ଶାସନ ଚାଲିଥିବା ବେଳେ ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ଅନୁଷ୍ଠିତ ହେଉଥିଲା। ମା’ ଭଗବତୀଙ୍କ ବିଜୟ ପ୍ରତିମା କାଠି ଠାକୁରାଣୀ ପ୍ରତ୍ୟେହ ସାୟଂ କାଳରେ ଶ୍ରୀ ଦକ୍ଷେଶ୍ୱର ମନ୍ଦିରରୁ ବାହାରି ରାଜ ନଅରକୁ ଯାତ୍ରା କରୁଥିଲେ। ସେଠାରେ ଦେବୀ କନକ ଦୁର୍ଗାଙ୍କସହ ମିଳିତ ହୋଇ ପୂଜା ପାଉଥିଲେ। ତେଣୁ ଏହି ପ୍ରଥମାର୍ଦ୍ଧ ପୂଜାକୁ ଏଠାରେ ଭିତରପୂଜା କୁହାଯାଇଥାଏ।
ପ୍ରଥମାର୍ଦ୍ଧ ପୂଜା ରାଜ ନଅରରେ ହେଉଥିବା ବେଳେ ମହାଳୟାର ଏହି ଭେଟ ଉତ୍ସବ ବାଣପୁରର ଜନପଦ ଏବଂ ରାଜନଅର ମଧ୍ୟ ସ୍ଥଳରେ ଅନୁଷ୍ଠିତ ହେଉଥିଲା। ସେଥିପାଇଁ ସେହିଠାରେ ଥିବା ଗ୍ରାମର ନାମ ଭେଟେଶ୍ୱର ହେବା ସହ ସେଠାରେ ବିରାଜିତ ଦେବ ଦେବ ମହାଦେବଙ୍କ ନାମ ଶ୍ରୀ ଭେଟିନାଥ ଦେବ ହୋଇଛି ବୋଲି ଐତିହାସିକମାନେ କହିଛନ୍ତି। କିନ୍ତୁ ଘଟଣା କ୍ରମେ ବାଣପୁର ରାଜା ପାରିକୁଦ ଠାରେ ଅବସ୍ଥାନ କରିବା ପରେ ଏହି ପ୍ରଥମାର୍ଦ୍ଧ ପୂଜା ବର୍ତ୍ତମାନ ମା’ ଭଗବତୀଙ୍କ ମନ୍ଦିର ବେଢାରେ ନିର୍ମିତ ସ୍ୱତନ୍ତ୍ର ପୂଜା ଗୃହରେ ଅନୁଷ୍ଠିତ ହେଉଛି। ଏବଂ ପବିତ୍ର ଭେଟ ଉତ୍ସବ ବାଣପୁର ବଜାରରେ କରାଯାଉଛି। ଏହି ପବିତ୍ର ଭେଟ ଉତ୍ସବ ହେଉଥିବା ଅମାବାସ୍ୟାକୁ ବାଣପୁର ଅଂଚଳରେ ଭେଟ ଅମାବାସ୍ୟା କୁହାଯାଏ।
ଭେଟ ଉତ୍ସବ ପରେ ଦେବୀ ବିରଜାଈ ଶ୍ରୀଦକ୍ଷେଶ୍ୱର ମନ୍ଦିର ସ୍ଥିତ ସାତବଖରା ଗୃହକୁ ବିଜେ କରିବାବେଳେ କାଠି ଠାକୁରାଣୀ ମା’ ଭଗବତୀଙ୍କ ମନ୍ଦିରକୁ ଯାତ୍ରା କରିଥାନ୍ତି। ପ୍ରଥମାର୍ଦ୍ଧ ପୂଜା ବା ଭିତର ପୁଜା ଶେଷ ହେବା ପରେ ଆଶ୍ଵିନ ଶୁକ୍ଲ ପ୍ରତିପଦା ଠାରୁ ସାତବଖରା ଗୃହରେ ଅନୁଷ୍ଠିତ ହେଉଥିବା ଉତରାର୍ଦ୍ଧ ପୂଜା ବା ବାହାର ପୂଜା ଆଶ୍ୱିନ ଶୁକ୍ଲ ଅଷ୍ଟମୀରେ ବା ମହାଷ୍ଟମୀ ଯାଏଁ ଚାଲିଥାଏ।