ଅପରାଜିତାଙ୍କ ରାଗ ବଢିଲା, ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ ପରେ ଆଜି ପୁଣି କହିଲେ ଏମିତି କଥା

Published: Apr 14, 2022, 11:58 am IST

ଭୁବନେଶ୍ବର: ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ରାଜଧାନୀ ପ୍ରତିଷ୍ଠା ଉତ୍ସବକୁ ନ ଡାକିବାରୁ ସେ ପୁରା ରାଗି ପଞ୍ଚମ ହୋଇଛନ୍ତି। ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଭୁବନେଶ୍ବର ସାଂସଦଙ୍କୁ ଡାକିବା କଥା, ହେଲେ ତାହା କରାଯାଇ ନାହିଁ। ଏ ନେଇ ସେ ଗତକାଲି ଟୁଇଟ କରି ତାଙ୍କୁ କାହିଁକି ଡକାଗଲା ନାହିଁ ବୋଲି ଅଭିଯୋଗ କରିଥିଲେ।

ସେ କହିଥିଲେ ଯେ, ଭୁବନେଶ୍ବର ପ୍ରତିଷ୍ଠା ଦିବସ ଗୋଟିଏ ବଡ ଦିନ। ଏପରି ଦିନରେ ମୋତେ ଅତିଥୀ କରି ନ ଡାକିବା ଦୁଃଖର ବିଷୟ। ମୋର କେଉଁଠି ଭୁଲ ରହିଲା ବୋଲି ସେ ପ୍ରଶ୍ନ କରିଥିଲେ। ମୋତେ ଡକାଯାଉ ବୋଲି ଅନୁରୋଧ କରିଥିଲେ। ଏହି ଟୁଇଟକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଟ୍ୟାଗ ମଧ୍ୟ କରିଥିଲେ।

ଟୁଇଟ ପରେ ସେ ଭାବିଥିଲେ ଯେ, ତାଙ୍କୁ ସଂଧ୍ୟା କାର୍ଯ୍ୟକ୍ରମରେ ହୁଏତ ଡାକିବେ। ହେଲେ ତାହା ମଧ୍ୟ ହେଲା ନାହିଁ। ଫଳରେ ସେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଏକ ଚିଠି ଲେଖିଲେ। ସେଥିରେ ମଧ୍ୟ ସେ ତାଙ୍କର ଅଭିଯୋଗ କରି ଏହା ଉପରେ ତଦନ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କଲେ।

ସେହି ଚିଠିରେ ସେ ଉଲ୍ଲେଖ କରିଥିଲେ ଯେ, ଆମ ଭିତରେ ରାଜନୈତିକତା ପ୍ରାର୍ଥକ୍ୟ ଥାଇପାରେ, ହେଲେ ନିର୍ବାଚିତ ପ୍ରତିନିଧିଙ୍କୁ ଏପରି କରିବା ଠିକ୍ ନୁହେଁ। ଏଥିସହିତ ସେ ଜୋର କରି କହିଛନ୍ତେ ଯେ, ଭୁବନେଶ୍ବର ପ୍ରତିଷ୍ଠା ଦିବସରେ ଯୋଗଦେବା ମୋର ଅଧିକାର।ଏହା ଉପରେ ତଦନ୍ତ କରାଯାଉ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ଏହି ଚିଠିଟି ସେ ଗତକାଲି ଅପରାହ୍ନରେ ମୁଖ୍ୟମନ୍ତ୍ରୀଙ୍କ ଅବଗତିରେ ଆଣିଛନ୍ତି। ହେଲେ ମଧ୍ୟ ସଂଧ୍ୟା କାର୍ଯ୍ୟକ୍ରମରେ ତାଙ୍କୁ ଡକାଗଲା ନାହିଁ। ଏହାପରେ ଆଜି ସକାଳେ ପୁଣି ଅପରାଜିତା ଟୁଇଟ କରି ସେହି ଚିଠି ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ ସିଧା କହିଛନ୍ତି ଯେ, ଆପଣଙ୍କୁ ତଦନ୍ତ କରିବା ପାଇଁ ଅନୁରୋଧ କରିଛି। ଆଉ ଏକ ସପ୍ତାହ ପରେ ପୁଣି ଥରେ ମନେ ପକାଇଦେବି।

ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି ଯେ, ତାଙ୍କ ଚିଠି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ଅପରାଜିତ ଅନୁଭବ କରିସାରିଲେଣି। ସେଥିପାଇଁ ସେ ସାତ ଦିନ ପରେ ପୁଣି ଥରେ ମନେ ପକାଇବି ବୋଲି ଉଲ୍ଲେଖ କରିଛନ୍ତି।  ଅପରାଜିତାଙ୍କ ଟୁଇଟଗୁଡିକରୁ ଅନୁମାନ କରି ହେଉଛି ଯେ, ସେ ଏହି ପ୍ରସଂଗକୁ କୌଣସି ହାଲତରେ ଛାଡିବେ ନାହିଁ।

Related posts