ଦରଦାମ ଏବଂ ଜିଏସଟି ବୃଦ୍ଧି ନେଇ ସଂସଦରେ ହାଙ୍ଗାମା, ଦିନକ ପାଇଁ ଉଭୟ ଗୃହ ମୁଲତବି

Published: Jul 19, 2022, 5:33 pm IST

ନୂଆଦିଲ୍ଲୀ: ଦରଦାମ ଏବଂ ଜିଏସଟି ବୃଦ୍ଧି ନେଇ ବିରୋଧୀ ଦଳଙ୍କ ହାଙ୍ଗାମା ପରେ ସଂସଦର ଉଭୟ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବି ରଖାଯାଇଛି। ଲୋକସଭାରେ ପ୍ରଥମେ ଦିନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ।

ବାଚସ୍ପତି ବାରମ୍ବାର ସଦସ୍ୟମାନଙ୍କୁ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ହେଲେ ବିରୋଧୀ ସଦସ୍ୟମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଫଳରେ ବାଚସ୍ପତି ଦିନକ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ।

ସକାଳେ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତା ଅଧୀର ରଂଜନ ଚୈଧୁରୀ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ବାଚସ୍ପତି ଓମ ବିର୍ଲା ତାଙ୍କୁ ଅନୁମତି ଦେଇନଥିଲେ ଏବଂ ତୁରନ୍ତ ପ୍ରଶ୍ନକାଳ ଆରମ୍ଭ କରିଥିଲେ।

ଏହା ପରେ କଂଗ୍ରେସ, ଡିଏମକେ ଏବଂ ଟିଏମସି ସମେତ ବିରୋଧୀ ଦଳର ସଦସ୍ୟମାନେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ ହଟ୍ଟଗୋଳ କରିଥିଲେ। ବାଚସ୍ପତି ଗୃହ କାର୍ଯ୍ୟକୁ ଚଳାଇବା ପାଇଁ ଚେଷ୍ଠା କରି ବିଫଳ ହୋଇଥିଲେ। ଫଳରେ ପ୍ରଥମେ ସେ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କରିଥିଲେ।

ସେହିପରି ରାଜ୍ୟସଭାର ଦୃଶ୍ୟ ମଧ୍ୟ ସମାନ ଥିଲା। ହଟ୍ଟଗୋଳ ଯୋଗୁଁ ପ୍ରଥମେ ଦିନ ଦୁଇଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖାଯାଇଥିଲା। ଜିଏସଟି ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଉପରେ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇ କଂଗ୍ରେସ, ଆପ୍, ଡିଏମକେ, ଟିଏମସି ଏବଂ ବାମପନ୍ଥୀ ବିରୋଧୀ ସଦସ୍ୟମାନେ ଗୃହ ଭିତରକୁ ପଶି ଆସିଥିଲେ। ଆରଜେଡି, ଏନସିପି, ଶିବସେନା ଏବଂ ସମାଜବାଦି ପାର୍ଟିର ସଦସ୍ୟମାନେ ମଧ୍ୟ ସେମାନଙ୍କୁ ଅନୁସରଣ କରି ଗୃହ ଭିତରେ ହଟ୍ଟଗୋଲ କରିଥିଲେ।

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଗୃହ ଚଳାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ବିରୋଧୀ ସଦସ୍ୟଙ୍କୁ ବାରମ୍ବାର ଗୃହକୁ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଏହି ହଟ୍ଟଗୋଳ ଜାରି ରହିଥିବା ବେଳେ ଉପାଧ୍ୟକ୍ଷ ଦିନକ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ। ସକାଳେ ମଧ୍ୟ ଗୃହରେ ହଟ୍ଟଗୋଳ ହେବାରୁ ଗୃହକୁ ଦିନ ଦୁଇଟା ପର୍ଯ୍ୟନ୍ତ ମୁଲତବି ରଖାଯାଇଥିଲା।

Related posts