ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆନ୍ତର୍ଜାତିକ ଦୁଗ୍ଧ ମହାସଂଘ ବିଶ୍ୱ ଡାଏରୀ ଶିଖର ବୈଠକ ୨୦୨୨ ଉଦ୍ଘାଟିତ

Published: Sep 12, 2022, 8:30 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ତର୍ଜାତିକ ଦୁଗ୍ଧ ମହାସଂଘ ବିଶ୍ୱ ଡାଏରୀ ଶିଖର ସମ୍ମିଳନୀ-୨୦୨୨ (ଆଇଡିଏଫ ଡବୁଲଡିଏସ)-୨୦୨୨ଉଦ୍ଘାଟନ କରିଛନ୍ତି। ଇଣ୍ଡିଆ ଏକ୍ସପୋ ସେଂଟର ଆଣ୍ଡ ମାର୍ଟ, ବୃହତ ନୋଏଡାରେ ଏହା ଆୟୋଜିତ ହେଉଛି। ସମବେତ ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ବିଶ୍ୱର ଦୁଗ୍ଧ ଉତ୍ପାଦନ କ୍ଷେତ୍ର ସହ ସଂଶ୍ଳିଷ୍ଟ ସମସ୍ତ ଅଂଶୀଦାର ଆଜି ଭାରତରେ ସମବେତ ହୋଇଥିବାରୁ ଆନନ୍ଦ ପ୍ରକଟ କରିଥିଲେ। ବିଶ୍ୱ ଡାଏରୀ ଶିଖର ବୈଠକ ଚିନ୍ତାଧାରା ବିନିମୟର ଏକ ବିରାଟ ମାଧ୍ୟମ ହୋଇପାରିବ ବୋଲି ସେ କହିଥିଲେ। “ଦୁଗ୍ଧ ଉତ୍ପାଦନ କ୍ଷେତ୍ର କେବଳ ଗ୍ରାମ୍ୟ ଅର୍ଥନୀତିକୁ ସଶକ୍ତ କରିନାହିଁ, ବରଂ ଏହା ବିଶ୍ୱର କୋଟି କୋଟି ଜନସାଧାରଣଙ୍କ ଜୀବିକାର ଏକ ମୁଖ୍ୟ ସ୍ରୋତ ବୋଲି ସେ କହିଥିଲେ।”

ପ୍ରଧାନମନ୍ତ୍ରୀ ‘ପଶୁଧନ’ର ବିଶେଷତ୍ୱ ତଥା ଦୁଗ୍ଧ ସମ୍ପର୍କୀତ ବ୍ୟବସାୟ ଭାରତରେ ସାଂସ୍କୃତିକ ଦୃଶ୍ୟପଟର ଏକ ପ୍ରମୁଖ ଅଂଶ ବୋଲି କହିଥିଲେ। ଏହା ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ରକୁ ଅନେକ ଅନନ୍ୟ ବୈଶିଷ୍ଟ୍ୟ ପ୍ରଦାନ କରିଛି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱର ଅନ୍ୟାନ୍ୟ ଦେଶ ଗୁଡିକୁ ତୁଳନା କଲେ ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ମୂଳରେ କେବଳ କ୍ଷୁଦ୍ର ଚାଷୀ ହିଁ ରହିଛନ୍ତି। ଭାରତର ଦୁଗ୍ଧ ଉତ୍ପାଦନ କ୍ଷେତ୍ର ଜନ ସାଧାରଣଙ୍କ ଦ୍ୱାରା ଉତ୍ପାଦନ ଉପରେ ପର୍ଯ୍ୟବେଶିତ। ଏହି କ୍ଷୁଦ୍ର ଚାଷୀମାନଙ୍କ ଉଦ୍ୟମ ଯୋଗୁଁ ଭାରତ ଆଜି ବିଶ୍ୱର ବୃହତ୍ତମ ଦୁଗ୍ଧ ଉତ୍ପାଦନକାରୀ ଦେଶଭାବେ ପରିଗଣିତ। ଏହି କ୍ଷୁଦ୍ର ଚାଷୀଗଣ ଗୋଟିଏ, ଦୁଇଟି ବା ତିନିଟି ପଶୁ ଜରିଆରେ ଉତ୍ପାଦନ ଅବ୍ୟାହତ ରଖିଥାନ୍ତି। ଦେଶ ଆଠକୋଟିରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଏହି କ୍ଷେତ୍ର କର୍ମନିଯୁକ୍ତି ସୁଯୋଗ ଦେଇଥାଏ।

ଭାରତୀୟ ଡାଏରୀ କ୍ଷେତ୍ରରେ ଦ୍ୱିତୀୟ ଅନ୍ୟାନ୍ୟ ବୈଶିଷ୍ଟ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡାଏରୀ କ୍ଷେତ୍ରରେ ଭାରତରେ ଯେଉଁ ବିଶାଳ ସମବାୟ ସମିତି ମାନ ରହିଛି ତାହାର ଦୃଷ୍ଟାନ୍ତ ସାରା ପୃଥିବୀର କୌଣସି ସ୍ଥାନରେ ମଧ୍ୟ ଦୃଷ୍ଟି ଗୋଚର ହୁଏ ନାହିଁ। ଏହି ଦୁଗ୍ଧ ସମବାୟ ସମିତିଗୁଡିକ ଦ୍ୱାରା ପ୍ରାୟ ଦୁଇକୋଟି ଚାଷୀ ଦେଶର ଦୁଇଲକ୍ଷରୁ ଅଧିକ ଗ୍ରାମରେ ଦିନକୁ ଦୁଇଥର ଲେଖାଏଁ ଦୁଗ୍ଧ ସଂଗ୍ରହ କରି ଗ୍ରାହକମାନଙ୍କୁ ବିତରଣ କରିଥାଆନ୍ତି। ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଧ୍ୟାନ ଆକର୍ଷଣ ପୂର୍ବକ କହିଥିଲେ ଯେ ଏଥିରେ କେହି ବି ମଧ୍ୟସ୍ଥ ନ ଥାନ୍ତି ଓ ଗ୍ରାହକମାନଙ୍କ ଠାରୁ ଆଦାୟ ହୋଇଥିବା ଶତକଡା ୭୦ଭାଗରୁ ଅଧିକ ଅର୍ଥ ସିଧାସଳଖ ଚାଷୀଙ୍କ ପାଖକୁ ଯାଇଥାଏ। “ବିଶ୍ୱର ଅନ୍ୟ କୌଣସି ଦେଶରେ ଏହା ଦେଖାଯାଏ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଡାଏରୀ କ୍ଷେତ୍ରରେ ହେଉଥିବା ଡିଜିଟାଲ ଦେଣନେଣ ପ୍ରକ୍ରିୟା ଅନ୍ୟାନ୍ୟ ଦେଶଗୁଡିକ ନିମନ୍ତେ ଶିକ୍ଷଣୀୟ” ବୋଲି ସେ କହିଥିଲେ।
ପ୍ରଧାନମନ୍ତ୍ରୀଙ୍କ କହିବାନୁସାରେ ଅନ୍ୟ ଏକ ଅନନ୍ୟ ବୈଶିଷ୍ଟ୍ୟ ହେଉଛି ଭାରତରେ ଜନ୍ମିତ ପଶୁ ଯାହା ଅନେକ ପ୍ରତିକୂଳ ପରିସ୍ଥିତିରେ ସାମ୍ନା କରିପାରିବ। ଗୁଜରାଟ କଚ୍ଛ୍ ଅଞ୍ଚଳର ବନ୍ନୀ ମଇଁଷିର ଉଦାହରଣ ସେ ଦେଇଥିଲେ। ସେ ମଧ୍ୟ ମୁରାହ, ମେହଶନା, ଜାଫ୍ରୀବାଦୀ, ନିଲୀରବି ଓ ପ୍ରାଧାରପୁରୀ ଶ୍ରେଣୀୟ ମଇଁଷିର ଉଦାହରଣ ଦେଇଥିଲେ । ଗାଈ ପ୍ରଜାତି ମଧ୍ୟରେ ସେ ଗୀର, ସହିୱାଲ, ରାଠୀ, କଙ୍କେରଜୀ, ଥରପାଇକର ଓ ହରିୟାନାର ଉଦାହରଣ ଦେଇଥିଲେ।

ଅନ୍ୟ ଏକ ବୈଶିଷ୍ଟ୍ୟ ସ୍ୱରୂପ ପ୍ରଧାନମନ୍ତ୍ରୀ ଡାଏରୀ କ୍ଷେତ୍ରରେ ମହିଳା ଶକ୍ତି ଉପରେ ଆଲୋକପାତ କରିଥିଲେ। ମହିଳାମାନଙ୍କ ଭାରତୀୟ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଶତକଡା ୭୦ଭାଗ ପ୍ରତିନିଧିତ୍ୱ ରହିଛି। ଭାରତ ଡାଏରୀ କ୍ଷେତ୍ରରେ ମହିଳାମାନେ ହିଁ ନେତୃତ୍ୱର ଅଧିକାରୀ।

କେବଳ ସେତିକି ନୁହେଁ, ଦୁଗ୍ଧ ସମବାୟ ସମିତିର ଏକ ତୃତୀୟାଂଶ ସଦସ୍ୟ କେବଳ ମହିଳା ବୋଲି ସେ କହିଥିଲେ। ସାଢେ ଆଠ ଲକ୍ଷ କୋଟିର ଡାଏରୀ କ୍ଷେତ୍ର ଉଭୟ ଧାନ ଓ ଗହମ କ୍ଷେତ୍ରର ମୂଲ୍ୟଠାରୁ ମଧ୍ୟ ଅଧିକ। ଏହା ଭାରତରେ ନାରୀ ଶକ୍ତି ମାଧ୍ୟମରେ ପରିଚାଳିତ ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ପରଠାରୁ ସରକାର ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ସାମର୍ଥ୍ୟ ବୃଦ୍ଧି ନିମନ୍ତେ ଅକ୍ଳାନ୍ତ ଉଦ୍ୟମ କରି ଆସୁଛନ୍ତି। ଏହାଫଳରେ ଦୁଗ୍ଧ ଉତ୍ପାଦନ ଅଧିକ ହେବା ସହ ଚାଷୀମାନଙ୍କ ଆୟ ବୃଦ୍ଧି ମଧ୍ୟ ହୋଇଛି। “ଭାରତ ୨୦୧୪ରେ ୧୪୬ ନିୟୁତ ଟନ୍ ଦୁଗ୍ଧ ଉତ୍ପାଦନ କରୁଥିଲେ। ଏହା ଏବେ ବୃଦ୍ଧି ପାଇ ୨୧୦ ନିୟୁତ ଟନ୍ରେ ପହଞ୍ଚିଛି। ଏ କ୍ଷେତ୍ରରେ ଶତକଡା ୪୪ଭାଗ ଅଧିକ ବୃଦ୍ଧି ଘଟିଛି” ବୋଲି ସେ କହିଥିଲେ। ବୈଶ୍ୱିକ ସ୍ତରରେ ଦୁଗ୍ଧ ଉତ୍ପାଦନ ଶତକଡା ଦୁଇଭାଗ ବୃଦ୍ଧି ପାଇଥିବାବେଳେ ଭାରତରେ ଏହା ଶତକଡା ଛଅଭାଗ ଛୁଇଁଛି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଭାରତ ବର୍ତ୍ତମାନ ଏକ ସନ୍ତୁଳିତ ଦୁଗ୍ଦ ଉତ୍ପାଦନ ବାତାବରଣର ବିକାଶ କରିବାକୁ ଚାହୁଁଛନ୍ତି ଯାହା ଫଳରେ ଏହି କ୍ଷେତ୍ରରେ ଆସୁଥିବା ଆହ୍ୱାନଗୁଡିକ ଉତ୍ପାଦନ ବୃଦ୍ଧି ସହ ତାଳଦେଇ ଚାଲିପାରିବ। ଚାଷୀଙ୍କ ପାଇଁ ଅତିରିକ୍ତ ଆୟ, ଗରିବର ସଶକ୍ତିକରଣ, ସ୍ୱଚ୍ଛତା, ରସାୟନମୁକ୍ତ ଚାଷ, ସ୍ୱଚ୍ଛ ଇନ୍ଧନ ଓ ଗୃହପାଳିତ ପଶୁଙ୍କ ସେବା ଯତ୍ନ ଏହି ବାତାବରଣ ସହିତ ଅଙ୍ଗାଙ୍ଗୀଭାବେ ଜଡିତ। ଗ୍ରାମର ସବୁଜ, ସ୍ଥାୟୀ ଓ ନିରନ୍ତର ବିକାଶ ନିମନ୍ତେ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ସେ କହିଥିଲେ। ରାଷ୍ଟ୍ରୀୟ ଗୋକୁଳ ମିଶନ, ଗୋବର୍ଦ୍ଧନ ଯୋଜନା, ଡାଏରୀ କ୍ଷେତ୍ରର ଡିଜିଟାଇଜେସନ ଓ ଗୃହପାଳିତ ପଶୁମାନଙ୍କ ସାର୍ବଜନୀନ ଟିକକରଣ ସହ ଏକକ ବ୍ୟବହାରକ୍ଷମ ପ୍ଲାଷ୍ଟିକ ବର୍ଜନ ଏ ଦିଗରେ କେତେକ ପଦକ୍ଷେପ ବୋଲି ସେ କହିଥିଲେ।

ଆଧୁନିକ ବୈଷୟିକ ଜ୍ଞାନର ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଦୁଗ୍ଧ ଦେଉଥିବା ପଶୁମାନଙ୍କର ଏକ ବୃହତ୍ତମ ଓ ତଥ୍ୟ ଭଣ୍ଡାର ତିଆରି କରୁଛି ଓ ଡାଏରୀ କ୍ଷେତ୍ର ସହ ଯୋଡି ହୋଇଥିବା ପ୍ରତ୍ୟେକ ପ୍ରାଣୀ ଏଥିରେ ସାମିଲ ହେବେ। “ଆମେ ପ୍ରାଣୀମାନଙ୍କ ବାୟୋମେଟ୍ରିକ ଚିହ୍ନଟିକରଣ କରିବାକୁ ଯାଉଛୁ । ଏହାକୁ ଆମେ ‘ପଶୁ ଆଧାର’ ନାମକରଣ କରିଛୁ” ବୋଲି ସେ କହିଥିଲେ।

ପ୍ରଧାନମନ୍ତ୍ରୀ ଏଫ୍ପିଏ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଷ୍ଟାର୍ଟଅପ ଭଳି ଔଦ୍ୟୋଗିକ ପରିପାଟିର ଅଭିବୃଦ୍ଧି ସମ୍ପର୍କରେ କହିଥିଲେ। ଏହି କ୍ଷେତ୍ରରେ ବର୍ତ୍ତମାନ ଏକ ହଜାରରୁ ଅଧିକ ଷ୍ଟାର୍ଟଅପ୍ ଅଛନ୍ତି। ଗୋବର୍ଦ୍ଧନ ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇ ସେ କହିଥିଲେ ଯେ ଆମେ ଯେପରି ପରିସ୍ଥିତି ସୃଷ୍ଟି କରିବା ଲକ୍ଷ୍ୟରେ ଅଛୁ, ଯାହାଫଳରେ ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନକାରୀ କାରଖାନାଗୁଡିକ ଭବିଷ୍ୟତରେ ଗୋବରରୁ ସେମାନଙ୍କ ପାଇ ଆବଶ୍ୟକ ବିଦ୍ୟୁତ ଉତ୍ପାଦନ କରିବେ। ସେଥିରୁ ଉଦ୍ବୃତ୍ତ ଖତ କୃଷକମାନଙ୍କ କାମରେ ଲାଗି ପାରିବ।
ଚାଷ କ୍ଷେତ୍ର ସହ ତୁଳନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ପଶୁପାଳନ ଓ କୃଷିରେ ବିବିଧତାର ଆବଶ୍ୟକତା ରହିଛି, ଏକକ ଅବଲମ୍ବନ ଏହା ସମାଧାନର ସୂତ୍ର ବାହାର କରିବାରେ ଅସମର୍ଥ। ଆଜି ଭାରତ ଉଭୟ ଦେଶୀୟ ଓ ଶଙ୍କର ଜାତୀୟ ପ୍ରଜନନ ଉପରେ ଗୁରୁ୍ତ୍ୱ ଆରୋପ କରୁଛି। ଏହା ମଧ୍ୟ ଜଳବାୟୁ ପରିବର୍ତ୍ତନଜନିତ କ୍ଷୟକ୍ଷତି ରୋକିପାରିବ ବୋଲି ସେ ପ୍ରକାଶ କରିଥିଲେ।

ଚାଷୀମାନଙ୍କ ଆୟରେ ପ୍ରତିବନ୍ଧକ ସାଜୁଥିବା ପଶୁମାନଙ୍କ ରୋଗ ସମସ୍ୟା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। “ଯେତେବେଳେ ପଶୁ ରୋଗଗ୍ରସ୍ତ ହୁଏ, ଏହା ଚାଷୀକୁ ଜୀବନରେ କ୍ଷତି ସହିବାକୁ ହୋଇଥାଏ। ଏହା ପଶୁର ସାମାର୍ଥ୍ୟ ପରେ ପ୍ରଭାବ ପକାଇବା ସହ ଦୁଗ୍ଧ ଓ ଅନ୍ୟାନ୍ୟ ବସ୍ତୁ ଉପରେ ମଧ୍ୟ ଗୁଣାତ୍ମକ ପ୍ରଭାବ ପଡିଥାଏ”ବୋଲି ସେ କହିଥିଲେ।

ଏ ଦିଗରେ ଭାରତ ସାର୍ବଜନୀନ ଟିକାକରଣ ବିଷୟରେ ଚିନ୍ତା କରୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱଆରୋପ କରି କହିଥିଲେ। “ଆମେ ସଂକଳ୍ପ କହିଛୁ ଯେ, ୨୦୨୫ ମସିହା ସୁଦ୍ଧା ଆମେ ସବୁ ପୁଶୁମାନଙ୍କ ପାଦ ଓ ମୁଖ ଫାଟୁଆ ରୋଗ ଓ ବ୍ରୁସେଲୋସିସ୍ ପାଇଁ ଟିକାକରଣ କରିବୁ। ଚଳିତ ଦଶନ୍ଧି ଶେଷ ସୁଦ୍ଧା ଏହି ସବୁ ରୋଗରୁ ମୁକ୍ତ ହେବା ପାଇଁ ଆମେ ଲକ୍ଷ୍ୟ ରଖିଛୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିôଳେ ଯେ ନିକଟ ଅତୀତରେ ଭାରତରେ ଅନେକ ରାଜ୍ୟରେ ଚର୍ମବିଣ୍ଡି ଭଳି ରୋଗ ଯୋଗୁଁ ଅନେକ ଗୃହପାଳିତ ପଶୁଙ୍କ ମୃତ୍ୟୁ ହୋଇଛି। କେନ୍ଦ୍ର ଓ ଅନ୍ୟାନ୍ୟ ରାଜ୍ୟ ସରକାରମାନେ ଏହାକୁ ରୋକିକା ପାଇଁ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଛନ୍ତି ବୋଲି ସେ ପ୍ର୍ର୍ରତିଶ୍ରୁତି ଦେଇଥିଲେ। “ଚର୍ମ ବିଣ୍ଡି ରୋଗ ପାଇଁ ଆମ ବୈଜ୍ଞାନିକମାନେ ଭାରତୀୟ ଟିକା ମଧ୍ୟ ପ୍ରସ୍ତୁତ କରିଥିବା ସେ କହିଥିଲେ। ଏହି ରୋଗର ପ୍ରାର୍ଦୁଭାବ ରୋକିବା ପାଇଁ ପଶୁମାନଙ୍କ ଗତିବିଧି ଠାବ କରାଯାଉଥିବା ସେ ପ୍ରକାଶ କରିଥିଲେ। ପଶୁମାନଙ୍କ ଟିକାକରଣ ହେଉ ବା ଅନ୍ୟାନ୍ୟ ଆଧୁନିକ ପ୍ରଯୁକ୍ତିବିଦ୍ୟା ଭାରତ ସବୁବେଳେ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଏହାର ଅଂଶୀଦାରୀ ଦେଶମାନଙ୍କ ଠାରୁ ଅଧିକ ଜ୍ଞାନ ଆହରଣ ପାଇଁ ଉଦ୍ଗ୍ରୀବ।” ଭାରତ ଖୁବ୍ କ୍ଷୀପ୍ର ଗତିରେ ଏହାର ଖାଦ୍ୟ ନିରାପତ୍ତାମାନ କାର୍ଯ୍ୟ କରୁଛି ବୋଲି ଶ୍ରୀ ମୋଦୀ କହିଥିଲେ।

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ଯେଉଁ ଡିଜିଟାଲ ପଦ୍ଧତିରେ କାର୍ଯ୍ୟ କରୁଛି, ତାହା ସାମଗ୍ରିକ ପଶୁସମ୍ପଦ କ୍ଷେତ୍ର ପ୍ରତି ଦୃଷ୍ଟି ଦେବ। ଏହି କ୍ଷେତ୍ରର ଉନ୍ନତି ନିମନ୍ତେ ଆବଶ୍ୟକ ସଠିକ ତଥ୍ୟ ପ୍ରଦାନ କରିବ। ବିଭିନ୍ନ ବୈଷୟିକ ଜ୍ଞାନ ଯୁକ୍ତ କାର୍ଯ୍ୟ ଉପରେ ବିଶ୍ୱରେ ଯେଉଁ କାମ ଚାଲିଛି, ଏହି ଶିଖର ସମ୍ମିଳନୀରେ ସେ ବିଷୟରେ ବିଚାର ବିମର୍ଶ ହେବ। ଏ ଦିଗରେ ଯାହାର ଯେଉଁ ବିଶେଷଜ୍ଞତା ରହିଛି, ସେଥିନେଇ ସମ୍ମିଳନୀରେ ଉପସ୍ଥାପନ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଥିଲେ। ଆବଶ୍ୟକ ସଠିକ ତଥ୍ୟ ପ୍ରଦାନ କରିବ। “ଦୁଗ୍ଧଜାତ ଶିଳ୍ପରେ ଯେଉଁ ବୈଶ୍ୱିକ ବିଶେଷଜ୍ଞମାନେ ଅଛନ୍ତି, ସେମାନଙ୍କୁ ଭାରତର ଡାଏରୀ କ୍ଷେତ୍ରକୁ ସଶକ୍ତ କରିବାରେ ସାହାଯ୍ୟ ପାଇଁ ମୁଁ ନିବେଦନ କରୁଛି। ମୁଁ ମଧ୍ୟ ଆର୍ନ୍ତଜାତିକ ଡାଏରୀ ମହାସଂଘକୁ ସେମାନଙ୍କ ଉତ୍କୃଷ୍ଟ କାର୍ଯ୍ୟପାଇଁ ପ୍ରଶଂସା କରୁଛି” ବୋଲି କହି ପ୍ରଧାନମନ୍ତ୍ରୀ ନିଜର ଉଦ୍ବୋଧନ ଶେଷ କରିଥିଲେ।

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, କେନ୍ଦ୍ର ମତ୍ସ୍ୟ ପଶୁସମ୍ପଦ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରୀ ଶ୍ରୀ ପାରୋଷୋତ୍ତମ ରୂପାଲା, କେନ୍ଦ୍ରମତ୍ସ୍ୟ ଓ ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନ, କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀୟ କୁମାର ବାଲୟାନ, ସଂସଦ ସଦସ୍ୟ ସୁରେନ୍ଦ୍ର ସିଂ ନାଗର ଓ ଡକ୍ଟର ମେହେଶ ଶର୍ମା, ଆନ୍ତର୍ଜାତିକ ଡାଏରୀ ମହାସଂଘ ସଭାପତି ପି. ବ୍ରାଜାଲେ ଓ ଆନ୍ତର୍ଜାତିକ ଡାଏରୀ ମହାସଂଘ ମହାନିର୍ଦ୍ଦେଶକ କାରୋଲିନ ଏମଣ୍ଡ ଏହି ଅବସରରେ ଉପସ୍ଥିତ ଥିଲେ। ପ୍ରଯୁକ୍ତିବିଦ୍ୟା ଦ୍ୱାରା ୭୫ଲକ୍ଷ ଚାଷୀଙ୍କୁ ଏହି କାର୍ଯ୍ୟକ୍ରମ ସହ ଯୋଡାଯାଇଥିଲା।

ପୃଷ୍ଠଭୂମି: ଚାରିଦିନ ବ୍ୟାପି ଆଇଡିଏଫ୍ ଡବ୍ଲୁଡିଏସ୍-୨୦୨୨ ସେପ୍ଟେମ୍ବର ୧୨ରୁ ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେଉଥିବାବେଳେ, ଏଥିରେ ବୈଶ୍ୱିକ ଓ ଭାରତୀୟ ଅଂଶୀଦାର, ଶିଳ୍ପ ନେତୃବୃନ୍ଦ, ବିଶେଷଜ୍ଞ, କୃଷକ ଓ ନୀତି ନିର୍ଦ୍ଧାରକ ପୌଷ୍ଟିକତା ଓ ଜୀବିକା ପାଇଁ ଦୁଗ୍ଧ ଉତ୍ପାଦନ ବିଷୟ ଉପରେ ଏକାଠି ହୋଇ ସେମାନଙ୍କ ସୁଚିନ୍ତିତ ମତାମତ ରଖିବେ। ଏହି ଆଇଡିଏଫ ଡବ୍ଲୁଡିଏସ୍, ୨୦୨୨ରେ ୫୦ଟି ଦେଶରୁ ପାଖାପାଖି ୧୫୦୦ ଅଂଶଗ୍ରହଣକାରୀ ଯୋଗଦେବାର ସମ୍ଭାବନା ରହିଛି। ପ୍ରାୟ ଅର୍ଦ୍ଧଶତାବ୍ଦୀ ପୂର୍ବରୁ ଏପରି ଶିଖର ସମ୍ମିଳନୀ ୧୯୭୪ମସିହାରେ ଭାରତରେ ଆୟୋଜିତ ହୋଇଥିଲା।

ଭାରତୀୟ ଦୁଗ୍ଧଜାତ ଶିଳ୍ପ ଏକ ସମବାୟ ମଡେଲ ଉପରେ ଆଧାରିତ ଓ ଏହା କ୍ଷୁଦ୍ର ଓ ନାମମାତ୍ର ଦୁଗ୍ଧ ଚାଷୀ ଓ ବିଶେଷକରି ମହିଳାଙ୍କୁ ସଶକ୍ତ କରିଥାଏ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିକୁ ଆଧାର କରି ଡାଏରୀ କ୍ଷେତ୍ର ଉନ୍ନତି ପଥରେ ଆଗେଇବା ସହ ଗତ ଆଠବର୍ଷ ମଧ୍ୟରେ ଶତକଡା ୪୪ ଭାଗ ଅଧିକ ଦୁଗ୍ଧ ଉତ୍ପାଦନ କରିପାରିଛି। ଭାରତୀୟ ଦୁଗ୍ଧ ଜାତ ଶିଳ୍ପ ବିଶ୍ୱର ଶତକଡା ୨୩ଭାଗ ଦୁଗ୍ଧ ଉତ୍ପାଦନ କରୁଥିବାବେଳେ ବାର୍ଷିକ ୨୧୦ଟନ୍ ଉତ୍ପାଦନ କରୁଛି ଓ ଏହା ଆଠକୋଟିରୁ ଅଧିକ ଦୁଗ୍ଧ ଚାଷୀଙ୍କୁ ସଶକ୍ତ କରିଛି ଯାହା ନମୁନାର ଆଇଡିଏଫ ଡବ୍ଲୁଡିଏସ-୨୦୨୨ରେ ପ୍ରଦର୍ଶିତ ହେବ। ଏହି ଶିଖର ସମ୍ମିଳନୀରେ ବିଶ୍ୱରେ ଆଦୃତ ଶ୍ରେଷ୍ଠ କାର୍ଯଧାରା ସମ୍ପର୍କରେ ମଧ୍ୟ ଭାରତୀୟ ଚାଷୀମାନେ ଅବଗତ ହୋଇପାରିବେ।

Related posts