ବାଲେଶ୍ୱର ଷ୍ଟେଟବ୍ୟାଙ୍କ ଠାରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର

Published: Nov 17, 2022, 6:55 pm IST

ଭୁବନେଶ୍ବର: ଭାରତ ସରକାରଙ୍କ ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ସାରା ଦେଶରେ ଜୀବନ ପ୍ରମାଣ ଆପ୍‌ ଜରିଆରେ ପେନସନଭୋଗୀଙ୍କ ପାଇଁ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଏକ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ ଶିବିର ଅନୁଷ୍ଠିତ ହେଉଛି। ଏହି କ୍ରମରେ ବାଲେଶ୍ୱରସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କର ପ୍ରଶାସନିକ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏସବିଆଇ ବାଲେଶ୍ୱର ଶାଖାରେ ଏଭଳି ଏକ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ଅନୁ ସଚିବ ବିଶାଲ କୁମାର, ଏଏସଓ ଅଂଶୁଲ ଶର୍ମା, ୟୁଆଇଡିଏଆଇର ଉପନିର୍ଦ୍ଦେଶକ ଟି. ଚୈତନ୍ୟ ରେଡ୍ଡୀ ଏବଂ ଏସବିଆଇ  ଡିଜିଏମ ଅମରେନ୍ଦ୍ର କୁମାର ଯୋଗ ଦେଇଥିଲେ।

ଜୀବନ ପ୍ରମାଣ ଆପ୍‌ ଜରିଆରେ ଫେସ ଅଥେଣ୍ଟିକେସନ ପ୍ରଯୁକ୍ତି ମାଧ୍ୟମରେ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ପେନସନଭୋଗୀଙ୍କ ନିମନ୍ତେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଶିବିରରେ ନୂଆ ପଦ୍ଧତି ଜରିଆରେ ୧୦୦ରୁ ଅଧିକ ପେନସନଭୋଗୀ ଡିଜିଟାଲ ଜୀବନ ପ୍ରମାଣପତ୍ର ଦାଖଲ କରିଥିଲେ। ବାଲେଶ୍ୱର ଜୋନ ୨ ଏଜିଏମ ଡିବି ପୀତବାସ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନାରେ ସହଯୋଗ କରିଥିଲେ।

ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ ପକ୍ଷରୁ ଦେଶର ୩୭ଟି ଏବଂ ଓଡ଼ିଶାର ୩ଟି ସହରରେ ଡିଜିଟାଲ ଲାଇଫ ସାର୍ଟିଫିକେଟ ଦାଖଲ ଶିବିର ଆୟୋଜନ କରାଯାଉଛି। ଭୁବନେଶ୍ୱର, ଏବଂ ବାଲେଶ୍ୱର ଠାରେ ଏହି ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୯ ତାରିଖରେ କଟକରେ ଏଭଳି ଶିବିର ଆୟୋଜନ କରାଯିବ।

Related posts