ସାମ୍ବାଦିକଙ୍କୁ ହତ୍ୟା ଧମକ ପ୍ରତିବାଦ: ଏସପିଙ୍କୁ ଭେଟିଲେ କଳାହାଣ୍ଡି ସାମ୍ବାଦିକ ସଂଘ

Published: Jan 3, 2023, 9:09 am IST

କଳାହାଣ୍ଡି: ଜୟପାଟଣା ବ୍ଲକ ଅନ୍ତର୍ଗତ ଏକ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ସମ୍ପର୍କରେ ଏକ ଦୈନିକ ଖବର କାଗଜରେ ସମ୍ବାଦ ପ୍ରକାଶ ପାଇଥିଲା। ସମ୍ପୃକ୍ତ ଠିକାଦାର ଓ ତାଙ୍କର ଦୁଇ ସହଯୋଗୀ ସାମ୍ବାଦିକ ରାଜୁ ପାହାଡ଼ଙ୍କୁ ଫୋନ ଯୋଗେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ପାଇଁ ଧମକ ଦେବା ଘଟଣାକୁ ନେଇ ଜିଲ୍ଲା ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ସମର୍କରେ ଜୟପାଟଣା ଥାନାରେ ସାମ୍ବାଦିକଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରଆଯାଇଛି।

କଳାହାଣ୍ଡି ସାମ୍ବାଦିକ ସଙ୍ଘ ଜିଲ୍ଲା ସଭାପତି ମହମ୍ମଦ ଅଲ୍ଲୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କଳାହାଣ୍ଡି ଏସପି ଅଭିଳାଷ ଜି ଙ୍କୁ ଭେଟି ସମ୍ପୃକ୍ତ ଠିକାଦାର ଓ ତାଙ୍କ ସହଯୋଗୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଏସୟୁଯେ ରାଜ୍ୟ ଉପ ସଭାପତି ଦୁଷ୍ମନ୍ତ କୁମାର ପଣ୍ଡା, ରାଜୁ ପାହାଡ଼, ରଘୁମଣି ପୁଝାରୀ, ମଞ୍ଜୁର ଇଲାହି, ଅରୁଣ ସାହୁ, କେଶବ ସୁନାନୀ, ଅମଜଦ ଖାଁ ପ୍ରମୁଖ ଉପସ୍ଥିତ ଥିଲେ।

ଉକ୍ତ ଘଟଣାରେ ସମ୍ପୃକ୍ତ ଠିକାଦାର ଓ ତାଙ୍କ ସହଯୋଗୀମାନଙ୍କ ଵିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜଣାଇଥିଲେ। ଏସପି ଏହି ଘଟଣାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେବା ସହ ଗ୍ରାମାଞ୍ଚଳର କର୍ତ୍ତବ୍ୟରତ ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ନିଶ୍ଚିତ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି। ସମ୍ପ୍ରତି ସାମ୍ବାଦିକ ମାନଙ୍କ ଉପରେ ଏଭଳି ଆକ୍ରୋଶ ମୂଳକ ଘଟଣାରେ ସାମ୍ବାଦିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି।

Related posts