ଏଣିକି ରାତିରେ ଖୋଲା ରହିବ ଭୁବନେଶ୍ବରର ଜୟଦେବ ବାଟିକା

Published: Jan 21, 2023, 9:40 am IST
Jayadev Batika

ଭୁବନେଶ୍ବର : ଏଣିକି ରାତି ୯ଟା ଯାଏ ଖୋଲା ରହିବ ଭୁବନେଶ୍ବର ଜୟଦେବ ବାଟିକା। ଏ ନେଇ ନିଷ୍ପତି କରିଛି ରାଜ୍ୟ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ। ଜୟଦେବ ବାଟିକାର ପ୍ରାକୃତିକ ଶୋଭାକୁ ଲୋକମାନେ ରାତିରେ ଦେଖିବାରୁ ସୁଯୋଗରୁ ବଞ୍ଚିତ ହେଉଥିଲେ। ସେଥିପାଇଁ ବିଭାଗ ଏହି ନିଷ୍ପତି ଗ୍ରହଣ କରିଛି।

ପୂର୍ବରୁ କେବଳ ଦିନ ସମୟରେ ଖୋଲା ରହୁଥିବା ବେଳେ ଏବେ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହିବ। ଫଳରେ ସନ୍ଧ୍ୟାରେ ଜୟଦେବ ବାଟିକା ବୁଲିବାକୁ ଆସୁଥିବା ପର୍ଯ୍ୟଟକ କୃତ୍ରିମ ଜଳପ୍ରପାତ, ନଈ, ଜଳଫୁଆରାର ମଜା ଉଠାଇ ପାରିବେ। ବିନା ଭୟରେ ବାଟିକା ପରିସରରେ ବୁଲିବା ସହ ସେଲ୍ଫି ବି ନେଇପାରିବେ।

ତେବେ ରାତିରେ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ଟିକେଟ ଦର ଅଧିକ କରାଯାଇଛି। ସେହିପରି ଦୁଇ ଚକିଆ, ଚାରି ଚକିଆ ଯାନର ପ୍ରବେଶ ଶୁଳ୍କ ମଧ୍ୟ ଅଧିକ କରାଯାଇଛି। ନିଷ୍ପତି ଅନୁସାରେ ଦିନ ବେଳା ୧୨ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ୩୦ଟଙ୍କା ଦେବାକୁ ପଡ଼ୁଥିବା ବେଳେ ଅପରାହ୍ଣରେ ୫୦ ଟଙ୍କା କରାଯାଇଛି।

ସେହିପରି ଦିନବେଳା ସାଇକେଲ ପ୍ରବେଶ ଶୁଳ୍କ ୫ ଟଙ୍କା ଥିବା ବେଳେ ଅପରାହ୍ନରେ ୧୦ଟଙ୍କା କରାଯାଇଛି। ଦିନବେଳା ଦୁଇଚକିଆ ପ୍ରବେଶ ଶୁଳ୍କ ୩୦ ଟଙ୍କା ଥିବା ବେଳେ ଅପରାହ୍ଣରେ ୫୦ ଟଙ୍କା ହୋଇଛି।

ସେହିପରି ତିନି ଚକିଆ ଯାନକୁ ଦିନବେଳା ୫୦ଟଙ୍କା ଥିବା ବେଳେ ଅପରାହ୍ନରେ ୮୦ଟଙ୍କା ରଖାଯାଇଛି। ୪ ଚକିଆ ଯାନ ପ୍ରବେଶ ଲାଗି ଦିନ ବେଳା ୧୦୦ ଟଙ୍କା ରଖାଯାଇଥିବା ବେଳେ ଅପରାହ୍ନରେ ୧୫୦ ଟଙ୍କା କରାଯାଇଛି।

ତେବେ ସଂଧ୍ୟାରେ ପର୍ଯ୍ୟଟକମାନେ ସୁବିଧାର ବୁଲାବୁଲି କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ପୂର୍ବ ଅପେକ୍ଷା ଅଧିକ କଡା କରାଯାଇଛି। ବିଶେଷ କରି ପାର୍କର ଅନ୍ଧାରିଆ ସ୍ଥାନରେ ଏହି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କରାଯାଇ ତୀକ୍ଷ୍ମ ନଜର ରଖିବା ପାଇଁ ବ୍ୟବସ୍ଥା କରାଯାଇଛି।

Related posts