ଶୀଘ୍ର ସମ୍ପୂର୍ଣ୍ଣ ହେବ ଖୋର୍ଦ୍ଧା ରୋଡ଼-ବାରଙ୍ଗ ତୃତୀୟ ରେଲ୍ ଲାଇନ୍ ପ୍ରକଳ୍ପ

Published: Feb 15, 2023, 8:08 am IST

ଭୁବନେଶ୍ବର: ଖୋର୍ଦ୍ଧା ରୋଡ ଏବଂ ବାରଙ୍ଗ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି। ମଞ୍ଚେଶ୍ୱର ଏବଂ ବାଣୀବିହାର ରେଳ ଷ୍ଟେସନ ମଧ୍ୟରେ ଥିବା ପୁରୁଣା ରୋଡ୍ ଓଭର ବ୍ରିଜ୍ (ROB) ଭଙ୍ଗାଯିବା ସହିତ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଅଛି।

ପୁରୁଣା ROB କୁ ଭାଙ୍ଗିବା ପାଇଁ ଭୁବନେଶ୍ୱର ଏବଂ କଟକ ମଧ୍ୟରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳ ପରିଚାଳନା ପାଇଁ ଆଉ ଏକ ROB ନିର୍ମାଣ କରାଯାଇଛି। ରୋଡ୍ ଟ୍ରାଫିକ୍ କୁ ନୂତନ ଓଭର ବ୍ରିଜ ଦେଇ ମାର୍ଗ ପରିବର୍ତନ କରାଯାଇଅଛି। ରେଳବାଇ ମଧ୍ୟ ଏହି କାର୍ଯ୍ୟକୁ 3 ମାସ ପୂର୍ବରୁ ଭାଙ୍ଗିବାକୁ ଯୋଜନା କରିଥିଲା। ବିଶ୍ୱକପ୍ ହକିକୁ ଦୃଷ୍ଟିରେ ରଖି ଏହି କାମକୁ ସାମାନ୍ୟ ବିଳମ୍ବ କରାଯାଇଥିଲା।

ସର୍ବନିମ୍ନ ସମୟ ମଧ୍ୟରେ ବହୁ ବିଳମ୍ବିତ ପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ ରେଳବାଇ ଯୋଜନା କରିଛି। ଏହି ସ୍ଥାନରେ ଗଢି ଉଠିଥିବା ବସ୍ତି ହଟାଇବା, ନୂତନ ROB ନିର୍ମାଣ ଏବଂ ଅନ୍ୟାନ୍ୟ ପ୍ରତିବନ୍ଧକ ଏହି କାର୍ଯ୍ୟକୁ ପୂର୍ବରୁ ବିଳମ୍ବ କରିଥିଲା। ତୃତୀୟ ଲାଇନ କାର୍ଯ୍ୟ ସମାପ୍ତ ହେବା ପରେ ବ୍ୟସ୍ତବହୁଳ ବାରଙ୍ଗ-ଖୋର୍ଦ୍ଧା ରୋଡ ରେଳ ସେକ୍ସନରେ ଟ୍ରେନ ଚଳାଚଳ ସ୍ୱାଭାବିକ ହୋଇ ପାରିବ।

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା ଏହି ସଫଳତା ପାଇଁ ନିୟୋଜିତ ଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Related posts