ବାଣପୁର: କେନ୍ଦ୍ର ସରକାରଙ୍କ ନୀତି ବିରୋଧରେ ବିଜେଡି ର ପ୍ରତିବାଦ ସଭା

Published: Feb 15, 2023, 7:36 pm IST

ସୀତାରାମ ଅଗ୍ରୱାଲ

ବାଣପୁର: କେନ୍ଦ୍ର ସରକାର ତାଙ୍କର ସଦ୍ୟ ବଜେଟର କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରିବା ଏବଂ ଓଡିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇଦେବା ଫଳରେ ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ବିଶେଷ କରି ପଶ୍ଚିମ ଓଡିଶାର ଚାଷୀମାନେ ଏହା ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହେବେ ବୋଲି ବିଜେଡି କହିଛି। ପୂର୍ବରୁ ଓଡିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିବାବେଳେ ବର୍ତ୍ତମାନ ତାହାକୁ ମାତ୍ର ୪ ଲକ୍ଷ ମେଟ୍ରିକ୍ ଟନ୍‌କୁ ହ୍ରାସ କରାଯାଇଛି।

ସେହିପରି ଭାବେ କେନ୍ଦ୍ର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ) କୁ ବନ୍ଦ କରିଦେଇଛି, ଯାହା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍‌ଏଫ୍‍ଏସ୍‌ଏ) ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳ ବ୍ୟତୀତ ପ୍ରତି ମାସରେ ଆଉ ୫ କିଲୋଗ୍ରାମ ମାଗଣା ଚାଉଳ ଯୋଗାଉଥିଲା। ପିଏମ୍‌ଜିକେଏୱାଇ ବନ୍ଦ ହେତୁ ଧାନ କ୍ରୟ ମଧ୍ୟ କ୍ଷତିଗ୍ରସ୍ତ ହେବ ଏବଂ କୃଷକମାନେ ଏମ୍‌ଏସ୍‌ପିରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଛି ବିଜେଡି।

ଏହି ପରିପ୍ରେକ୍ଷୀରେ ବିଜେଡି ପକ୍ଷରୁ ସାରା ରାଜ୍ୟରେ ଗତକାଲି ଠାରୁ ୩ ଦିନ ବ୍ୟାପି ଆନ୍ଦୋଳନ ଜାରି ରହିଛି। ଅନୁରୂପ ଭାବେ ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ସମ୍ମୁଖରେ ସ୍ଥାନୀୟ ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯାଇଥିଲା। ଜିଲ୍ଲା ବିଜେଡି ଉପ ସଭାପତି ମାନସ ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ପ୍ରତିବାଦ ସଭାରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣାଙ୍କ ସମେତ ବିଧାୟକ, ସାଂସଦ ପ୍ରତିନିଧି ଏବଂ ଶତାଧିକ କର୍ମୀମାନେ ଉପସ୍ଥିତ ଥିଲେ।

ପରିଶେଷରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ବୁଲବୁଲ ବେହେରାଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ତେବେ ଯଦି ଶୀଘ୍ର ଦାବି ପୂରଣ ନହୁଏ, ତେବେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ଗରିବ ଏବଂ ଓଡିଶାର କୃଷକଙ୍କ ଅଧିକାର ପାଇଁ ଲଢିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

Related posts